ମୁଖ୍ୟ ଖବର

ଛେଣ୍ଡିପଦାରେ ପାହାଡ଼ ଧସିଲା: ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ଠପ୍

By Angul TV Bureau

September 05, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ର ପାତ୍ରପଡା ନିକଟସ୍ଥ ଦେବୀନଗର ପାହାଡ଼ରୁ ଭୂସ୍ଖଳନ ହେବା ଫଳରେ ପାତ୍ରପଡା-ହଣ୍ଡପା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗତ ତିନି ଦିନର ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଓ ଅତଡ଼ା ଖସି ରାସ୍ତା ଉପରେ ପ୍ରାୟ ୫ ଫୁଟ ଉଚ୍ଚ ମାଟି ଜମା ହୋଇଛି, ଯାହା ଦେବୀନଗର ପାହାଡ଼ ନିକଟରେ ରାସ୍ତାକୁ ଅବରୋଧ କରିଛି। ଏହି ରାସ୍ତା ଛେଣ୍ଡିପଦା ବ୍ଲକକୁ କିଶୋରନଗର ଓ ଆଠମଲ୍ଲିକ ଅଞ୍ଚଳ ସହ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା ହୋଇଥିବାରୁ ଏହାର ଅବରୋଧ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସୁବିଧା ଦେଖାଦେଇଛି।

ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଅନେକ ସ୍ଥାନ ବେହାଲ ହୋଇପଡ଼ିଛି। ମାତେଳିଆ ନାଳରେ ପାଣି ଫୁଲିବା ଯୋଗୁଁ ପାହାଡ଼ରୁ ମାଟି ଓ ଅତଡ଼ା ଖସିଥିବା ଅନୁମାନ କରାଯାଉଛି। ଏହି ଘଟଣା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଯାତାୟାତ ବନ୍ଦ ହୋଇଯାଇଛି। ସ୍ଥାନୀୟ ଲୋକେ ତୁରନ୍ତ ରାସ୍ତାରୁ ମାଟି ହଟାଇ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି।

ଏହି ଅବରୋଧ ଯୋଗୁଁ ଛେଣ୍ଡିପଦା, କିଶୋରନଗର ଓ ଆଠମଲ୍ଲିକ ଅଞ୍ଚଳର ଲୋକଙ୍କ ନିତିଦିନିଆ ଯାତାୟାତରେ ବହୁତ ଅସୁବିଧା ହେଉଛି। ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି।