ଅନୁଗୋଳ: ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ।
ଶିଶୁ ଶ୍ରମିକ ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ରାଜ୍ୟବ୍ୟାପୀ ଚାଲିଥିବା ୪୪ ଦିନିଆ ଅଭିଯାନର ଅଂଶ ଭାବେ ଏହି ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଅନୁଗୁଳ ଶ୍ରମ ବିଭାଗ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପରିକ୍ରମା କରିବ। ଏହା ଶିଶୁ ଶ୍ରମିକ ପ୍ରଥାର ନିବାରଣ ଓ ଉଚ୍ଛେଦ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହ ‘ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬’ର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବ।
ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଇତିଶ୍ରୀ ଗାଗରାଇ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରିୟମ୍ବଦା ସ୍ୱାଇଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସନମ ସ୍ମିତା ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ।