ଅନୁଗୋଳ: ଶିଶୁ ଶ୍ରମ ନିରାକରଣ ଓ ଶିଶୁ ଅଧିକାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’ର ଉଦଘାଟନ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଥିଲେ।ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ହୋଟେଲ, ଢାବା, ଗ୍ୟାରେଜ ଓ ଜନଗହଳିପୂର୍ଣ୍ଣ ସ୍ଥାନ ପରିଭ୍ରମଣ କରିବ। ଶିଶୁ ଶ୍ରମର କୁପ୍ରଭାବ, ଶିକ୍ଷାର ମହତ୍ତ୍ୱ ଏବଂ ଏକ ସୁରକ୍ଷିତ ଶୈଶବ ଗଠନରେ ସମାଜର ଦାୟିତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆୟୁକ୍ତ କୁବେର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଭାରପ୍ରାୟତ ଜିଲ୍ଲା ଶ୍ରମ ଅଧିକାରୀ ଦେବପ୍ରସାଦ ମହାନ୍ତିଙ୍କ ସମେତ ବିଭିନ୍ନ ବ୍ଲକର ଶ୍ରମ ବିଭାଗୀୟ ଅଧିକାରୀ ଓ ବିଶ୍ୱ ଯୁବ କେନ୍ଦ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ପ୍ରୟାସ ଜିଲ୍ଲାରୁ ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ଦୂର କରିବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।