ଅନୁଗୋଳ: ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କରକମଳରେ ସମବାୟ ସଦସ୍ୟତା ମହାଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ ହୋଇଯାଇଛି। ଅନୁଗୋଳ ବ୍ଲକ୍ ଡାଇମଣ୍ଡଠାରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଭର୍ଚୁଆଲ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅନ୍ୟୂନ ଜଣେ ସଦସ୍ୟଙ୍କୁ ସମବାୟ ସମିତି ସହ ଯୋଡ଼ିବା ଏହି ମହାଭିଯାନର ମୁଖ୍ୟ ଲକ୍ଷ୍ୟ। ଏଥିସହିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ଓ ଯୁବପିଢ଼ିଙ୍କୁ ସମବାୟ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିବାକୁ ସ୍ୱତନ୍ତ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଚୌଧୁରୀ ପ୍ରଧାନ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ କୁମାର ପ୍ରଧାନ, ଅନୁଗୋଳ ଉପଜିଲ୍ଲାପାଳ ମାୟାଧର ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିବ୍ୟ ସ୍ୱରୂପ ପଣ୍ଡା, ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡା. ସତ୍ୟନାରାୟଣ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପରିଡ଼ାଙ୍କ ସମେତ ସମବାୟ ବିଭାଗର ସମସ୍ତ ଅଧିକାରୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଗୋଳ ପ୍ରଭାଗ ସମବାୟ ସମିତି ସମୂହର ଉପ-ନିବନ୍ଧକ ଉମାଶଙ୍କର ଦାଶ।