ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର, ମାଗଣାରେ ନ୍ୟାୟ ଦେବା ଉପରେ ଗୁରୁତ୍ୱାରୋପ

By Angul TV Bureau

August 08, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ପିଟିସ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଆଇନସେବା ପ୍ରାଧିକରଣର କମଳାକାନ୍ତ ନାୟକ, ଅନୁଗୁଳ ଡିଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ଲିଗାଲ ପ୍ରୋବେସନ ଅଫିସର ପ୍ରଦୀପ କୁମାର ନାୟକ, ଶିଶୁ ମଙ୍ଗଳ କମିଟିର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ନିର୍ଦ୍ଦେଶକ ଚାଇଲ୍ଡ ଲାଇନ ମନୋଜ କୁମାର ମହାପାତ୍ର, ଫ୍ରଣ୍ଟ ଅଫିସ ରିଟେନର, ଜିଲ୍ଲା ଆଇନ ସେବା ପ୍ରାଧିକରଣ ମମତାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ୍, ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ, ସରକାରଙ୍କ ତରଫରୁ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା, କିଶୋର ନ୍ୟାୟ (ଶିଶୁଙ୍କୁ ଯନ୍ ଓ ସୁରକ୍ଷା) ଆଇନ, ଶିକ୍ଷା ଅଧିକାର ଆଇନ, ଶିଶୁ ଶ୍ରମିକ ନିରୋଧ ଆଇନ, ବାଲ୍ୟ ବିବାହ ନିରୋଧ ଅଧିନିୟମ, ଆମର ବିଭିନ୍ନ ମୌଳିକ କର୍ତ୍ତବ୍ୟ ଓ ଅଧିକାର ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଏହା ସହିତ ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ବର୍ଗଙ୍କୁ କିପରି ସମ୍ପୂର୍ଣ୍ଣ ମାଗଣାରେ ଆଇନସେବା ଯୋଗାଇ ହେବ ସେ ବିଷୟରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କେଦାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।