ମୁଖ୍ୟ ଖବର

ଅନୁଗୁଳିଆ ଭାଷାକୁ ଅସମ୍ମାନ: ‘କାଙ୍ଗୁଲା’ ସିନେମାର ବିବାଦୀୟ ଗୀତ ହଟାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର

By Angul TV Bureau

March 31, 2026

ଅନୁଗୁଳ: ନିକଟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘କାଙ୍ଗୁଲା’ (Kangula) ବିବାଦ ଘେରକୁ ଆସିଛି। ଏହି ଚଳଚ୍ଚିତ୍ରର ଏକ ଗୀତରେ ଅନୁଗୁଳ ଅଞ୍ଚଳର ଆଞ୍ଚଳିକ ଭାଷାକୁ ଅତି କଦର୍ଯ୍ୟ ଭାବେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଅନୁଗୁଳର ଜଣେ ସଚେତନ ନାଗରିକ ତଥା ଆଇନ ଛାତ୍ର ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଏକ ପତ୍ର ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଉକ୍ତ ଗୀତରେ ବ୍ୟବହୃତ ଶବ୍ଦାବଳୀ ସ୍ଥାନୀୟ ମା’ ଓ ଭଉଣୀମାନଙ୍କ ପାଇଁ ଅତ୍ୟନ୍ତ ଅପମାନଜନକ ଏବଂ ଅଶାଳୀନ। ଏହା କେବଳ ଆଞ୍ଚଳିକ ଭାଷାକୁ ନୁହେଁ, ବରଂ ସ୍ଥାନୀୟ ସାମାଜିକ ସଂସ୍କୃତି ଓ ମର୍ଯ୍ୟାଦାକୁ ଉଲ୍ଲଂଘନ କରୁଛି। ଭାରତୀୟ ସମ୍ବିଧାନର ଧାରା ୧୯(୧)(a) ଅନୁଯାୟୀ ଅଭିବ୍ୟକ୍ତିର ସ୍ୱାଧୀନତା ଥିଲେ ହେଁ, ଏହା କାହାର ମାନହାନି କରିବା କିମ୍ବା ସାମାଜିକ ଶୃଙ୍ଖଳା ବିଗାଡ଼ିବାର ଅଧିକାର ଦିଏ ନାହିଁ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।

ଏହି ଘଟଣାକୁ ନେଇ ଅନୁଗୁଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମସ୍ତ ପ୍ଲାଟଫର୍ମରୁ ଏହି ବିବାଦୀୟ ଗୀତକୁ ହଟାଇବା ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। ନଚେତ୍ ଆଗାମୀ ଦିନରେ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି।