ଅନୁଗୋଳ: ଟଙ୍କା ପଇଠକୁ କେନ୍ଦ୍ର କରି ଘଟିଥିବା ଏକ ହତ୍ୟା ମାମଲାରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରଞ୍ଜନ କୁମାର ସୁତାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଭିଯୁକ୍ତ କୈଳାଶ ନାୟକ (୨୫)ଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଘଟଣା ଅନୁଯାୟୀ, ୨୦୨୨ ଜାନୁଆରୀ ୨୦ରେ କିଆକଟା ଥାନା ପାତ୍ରପଡ଼ା ଗ୍ରାମର ମାନସ ନାୟକ ନିଜ ପାଉଣା ଟଙ୍କା ମାଗିବାକୁ କୈଳାଶଙ୍କ ଘରକୁ ଯାଇଥିଲେ। ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ମାନସଙ୍କ ବାପା ଯୋଗେଶ୍ୱର ସେଠାରେ ପହଞ୍ଚିବାରୁ କୈଳାଶ ଘର ଭିତରୁ ଟାଙ୍ଗିଆ ଆଣି ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ। ଗୁରୁତର ଯୋଗେଶ୍ୱରଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ପୋଲିସ ମାମଲା ରୁଜୁ କରି କୈଳାଶଙ୍କୁ ଗିରଫ କରିଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।