ମୁଖ୍ୟ ଖବର

ଗାଁ ମୁଖିଆଙ୍କୁ ଛୁରି ଭୁସି ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ

By Angul TV Bureau

November 29, 2022

ଅନୁଗୁଳ: ଗାଁ ମୁଖିଆଙ୍କୁ ଛୁରି ଭୁସି ହତ୍ୟା ମାମଲାର ଶୁଣାଣି କରି ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରଂଜିତା ଜ୍ୟୋତିଷୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ବଡ଼ଖେତା ଗାଁରେ ଗତ ୨୦୧୯ ନଭେମ୍ବର ୧୧ ତାରିଖରେ ଗାଁର ଦ୍ବାରି ଭୋଇ(୨୮) ଓ କୁନା ଭୋଇଙ୍କ ଭିତରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଗାଁ ସଭାପତି ବରଜୁ ପ୍ରଧାନ ଏଥିରେ ହସ୍ତକ୍ଷେପ କରି ଦୁଇ ଜଣଙ୍କୁ ଡାକି ବୁଝାଇବା ସହିତ ଝଗଡ଼ା ନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସଭାପତି ପାତରଅନ୍ତର କରୁଥିବା ଅଭିଯୋଗ କରି ଦ୍ବାରି ତାଙ୍କୁ ଦେଖିନେବି ବୋଲି ଧମକ ଦେଇଥିଲେ। ସନ୍ଧ୍ୟାରେ ଗାଁ ଛକରେ ବରଜୁ ପ୍ରଧାନ ଅନ୍ୟ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିଲାବେଳେ ଦ୍ବାରି ଭୋଇ ସେଠାରେ ଛୁରି ନେଇ ପହଞ୍ଚି ବରଜୁଙ୍କୁ ଛୁରି ଭୁସି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏ ନେଇ ବରଜୁଙ୍କ ପତ୍ନୀ କୁନି ପ୍ରଧାନ ପୁରୁଣାକୋଟ ଥାନାରେ ଏତଲା ଦେବା ପରେ ପୋଲିସ ୬୨/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରଂଜିତା ଜ୍ୟୋତିଷୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।