ଅନୁଗୁଳ: ଘରୁ ଡାକିନେଇ ଜଣଙ୍କୁ ହତ୍ୟା କରିବା ମାମଲାରେ ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ହତ୍ୟା ମାମଲାର ବିଚାର କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରଂଜିତା ଜ୍ୟୋତିଷୀ ନାଲ୍କୋନଗର ଥାନା ବଳରାମପ୍ରସାଦ ଗାଁର ଗୁକୁନ ଓରଫ ଅନନ୍ତ ଦାଶଙ୍କ ବିରୋଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ଜରପଡ଼ାର ପ୍ରସନ୍ନ କୁମାର ସାହୁ ନାଲ୍କୋନଗରକୁ ବିଶ୍ବକର୍ମା ପୂଜା ଦେଖିବାକୁ ଆସିଥିଲାବେଳେ ବଳରାମପ୍ରସାଦରେ ରହୁଥିବା ତାଙ୍କ ଭାଇ ଭଗବାନ ସାହୁଙ୍କ ପାଖରେ ରହୁଥିଲେ। ୨୦୧୨ ମସିହା ସେପ୍ଟେମ୍ବର ୨୩ ତାରିଖରେ ତାଙ୍କ ମୃତଦେହ ବଳରାମପ୍ରସାଦର ଏକ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦିଆଯାଇଥିବା ତାଙ୍କ ଭାଇ ଭଗବାନ ସାହୁ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ୧୨୫/୧୨ରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ କରିଥିଲା। ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ବଳରାମପ୍ରସାଦର ଅନନ୍ତ ଦାଶ ଏକ ଠେଙ୍ଗାରେ ପିଟି ତାଙ୍କୁ ହତ୍ୟା କରିବା ପରେ ମୃତଦେହ ପୋଖରୀରେ ଫିଙ୍ଗି ଦେଇଛି। ପରେ ତାଙ୍କୁ ଆଇପିସିର ୩୦୨/୨୦୧ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲା।
ଏହି ମାମଲାର ବିଚାରଣା ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରଂଜିତା ଜ୍ୟୋତିଷୀ କରୁଥିଲେ। ମାମଲାରେ ମୋଟ ୨୬ ଜଣ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ କରାଯାଇଥିଲା। ସବୁ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଦାଲତ ଅଭିଯୁକ୍ତକୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ପଡ଼ିବ। ସୂଚନା ଅନୁସାରେ, ଏକ ଗଂଜେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଭିଯୁକ୍ତ ଅନନ୍ତ ଦାଶ ଏବେ ଜେଲ୍ରେ ଅଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ତାପସ ରଂଜନ ମିଶ୍ର ଓ ବିଶ୍ବଜିତ ବରାଳ ପରିଚାଳନା କରୁଥିଲେ।