ମୁଖ୍ୟ ଖବର

କମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

By Angul TV Bureau

October 18, 2022

ଅନୁଗୁଳ: କମୁଛି ଅନୁଗୁଳବାସୀଙ୍କ ଆୟୁଷ। କୋଇଲା ଧୂଆଁ ଶୋଷି ନେଉଛି ବୟସ। ଜିଲ୍ଲାରେ ବଢୁଥିବା ପ୍ରଦୂଷଣ ଏବେ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି। ବିପଦରେ ଏବେ ସହରବାସୀଙ୍କ ଜୀବନ। ଦେଶର ୧୨% କୋଇଲା ଅନୁଗୁଳ ଜିଲ୍ଲାରୁ ଉତ୍ପାଦିତ ହେଉଛି। ରାଜ୍ୟର ୫୬% ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ଷ୍ଟିଲ୍ ଆଲୁମିନିଅମ ଶିଳ୍ପ ଓ କୋଇଲା କାରଖାନା ଜିଲ୍ଲାରେ ରହିଛି। ଏଥିରୁ ୬୧% ଜିଡ଼ିପି ଆସୁଛି, ହେଲେ ବିକାଶର ଯୋଗଦାନ ଦେଉଥିବା ଏହି ଅଞ୍ଚଳର ଲୋକଙ୍କ ହାରାହାରି ବୟସ ୫୫ ବର୍ଷକୁ ହ୍ରାସ ପାଇଛି। କେବଳ ସେତିକି ନୁହେଁ କୋଇଲା ଖଣି ଅଞ୍ଚଳରେ କର୍କଟ ରୋଗୀଙ୍କ ସଂଖ୍ୟା ବହୁ ଅଧିକ ବୋଲି ଇଣ୍ଟରନ୍ୟାସନ୍ୟାଲ୍ ଫୋରମ୍ ଫର୍ ଏନଭରମେଣ୍ଟ ମୋବିଲିଟି ଆଣ୍ଡ ଟେକ୍‌ନୋଲୋଜି (ଆଇ ଫରେଷ୍ଟ) ପକ୍ଷରୁ ପ୍ରକାଶିତ ଅନୁଗୁଳ ପ୍ଲାନିଂ ଏଜଷ୍ଟ ଏନର୍ଜି ଟ୍ରାନ୍‌ଜିସନ୍ ଆଣ୍ଡ ଏ ନ୍ୟୁଗ୍ରୀନ୍ ଇକୋମିକ୍ ରିପୋର୍ଟ ଉନ୍ମୋଚନରେ ଯୋଗଦେଇଥିବା ବକ୍ତାମାନେ ମତପ୍ରକାଶ କରିଛନ୍ତି।

ଆଇଫରେଷ୍ଟ ଅଧ୍ୟକ୍ଷ ଚନ୍ଦ୍ର ଭୂଷଣ କହିଛନ୍ତି, ଆସନ୍ତା ୧୦ରୁ ୧୫ବର୍ଷ ପାଇଁ କୋଇଲା ଅନୁଗୁଳର ଅର୍ଥନୀତିକୁ ପ୍ରଭାବିତ କରିବ। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଜଷ୍ଟଏନର୍ଜି ଟ୍ରାନଜିସନ୍ ଯୋଜନା ପ୍ରସ୍ତୁତି ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି। ଏଥିରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ରିପୋର୍ଟ ଉନ୍ମୋଚନ କରି ଜିଲ୍ଲାରେ ସବୁଜ ଅର୍ଥନୀତି ସୃଷ୍ଟି ପାଇଁ ସରକାରୀ କଳ ସହ ସମ୍ପୃକ୍ତ ଖଣି ଓ ଶିଳ୍ପ ସଂସ୍ଥା ଗୁଡ଼ିକର ସହଯୋଗର ହାତ ବଢ଼ାଇବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ପ୍ରଦୂଷଣର ପ୍ରଭାବ ପରିବେଶ ଉପରେ ପଡ଼ୁଛି ବୋଲି କହିଥିଲେ। ଗାଈଗୋରୁ ଓ ବନ୍ୟଜନ୍ତୁ ମଧ୍ୟ ଏବେ ପ୍ରଭାବିତ ହେବା ଆରମ୍ଭ କଲେଣି ବୋଲି ଅତିଥିମାନେ କହିଥିଲେ। ଏଣୁ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ଉଭୟ ସରକାର ଓ କମ୍ପାନୀମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।