ଘଟଣା ଓ ଦୁର୍ଘଟଣା

ବଜ୍ରପାତର କରାଳ ରୂପ: ବିଲରେ କାମ କରୁଥିବା ବେଳେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

By Angul TV Bureau

June 02, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମରେ ବଜ୍ରପାତରେ ଦୁଇ ସମ୍ପର୍କୀୟ ଭାଇଙ୍କ ଅକାଳ ବିୟୋଗ ଘଟିଛି। ମୃତକ ହେଲେ ସଞ୍ଜୟ ସାହୁ (୨୫) ଓ ଆରତ ବେହେରା (୨୩)। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ମୁତାବକ, ଉଭୟ ଯୁବକ ବିଲକୁ ଚାଷ କାମ ପାଇଁ ଯାଇଥିବା ବେଳେ ଅଚାନକ ପାଣିପାଗ ବଦଳିଥିଲା। ପ୍ରବଳ ଘଡ଼ଘଡ଼ି ସହ ବଜ୍ରପାତ ହେବାରୁ ସେମାନେ ଏହାର ସିଧାସଳଖ ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକ ଓ ପରିବାର ପକ୍ଷରୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଆକସ୍ମିକ ମୃତ୍ୟୁ ପରିବାର ଉପରେ ବଜ୍ରପାତ ସଦୃଶ ହୋଇଛି। ହଣ୍ଡପା ଥାନା ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁଇ ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।