ଅନୁଗୁଳ: ଦୀର୍ଘ କୋଡ଼ିଏ ଦିନର ଛକାପଞ୍ଝା ପରେ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଗଙ୍ଗାଜଳ ଚଳଚ୍ଚିତ୍ର ଷ୍ଟାଇଲରେ କୋଡ଼ିଏ ଦିନ ଧରି ଜାଲ ବିଛାଇ ବସିଥିବା ଅବକାରୀ ସ୍କ୍ୱାଡ୍ ଶେଷରେ ଗୁରୁବାର ଅପରାହ୍ନ ପ୍ରାୟ ତିନିଟା ବେଳେ ବଅଁରପାଳରୁ ଜୟପ୍ରକାଶକୁ ଉଠାଇ ନେଇଥିଲେ। ସୂଚନା ଯେ, ରାଣୀଗୋଡ଼ା ନାୟକ ସାହିରେ ଥିବା ଏକ ଭଡ଼ାଘରେ ରହି ଜୟପ୍ରକାଶ ନକଲି ମଦ ତିଆରିରେ ବ୍ୟବହୃତ ଠିପି, ଲେବୁଲ ଆଦି କଲିକତାରୁ ଆଣି ବିଭିନ୍ନ ଗୁପ୍ତ ଆଡ୍ଡାକୁ ଚାଲାଣ କରୁଥିଲା। ଫେବୃୟାରୀ ୫ ତାରିଖରେ ଅବକାରୀ ଟିମ୍ ଭଡ଼ାଘରେ ଚଢ଼ାଉ କରିବା ପୂର୍ବରୁ ଫେରାର ହୋଇଯାଇଥିଲା। କିଛିଦିନ ତଳେ ଜୟ ପ୍ରକାଶ ହାଇକୋର୍ଟ ରେ। ଆଗୁଆ ଜାମିନ ପାଇଁ ଆବେଦନ କରିଥିଲା। ଏହାର ସୁରାକ ପାଇ ଅନୁଗୁଳ
ଅବକାରୀ ବିଭାଗ ଏବଂ କଟକ ଫ୍ଲାଇଙ୍ଗ ସ୍କ୍ୱାଡର ଅଧିକାରୀ ମାନେ ଜୟପ୍ରକାଶକୁ ଧରିବା ପାଇଁ ଜାଲ ବିଛାଇଥିଲେ। ଗତ ୨୩ ତାରିଖରେ ହାଇକୋର୍ଟରେ ତାର ଜାମିନ ହେବାର ଥିଲା କିନ୍ତୁ ଦୁର୍ଭାଗ୍ୟକୁ ତାର ସିରିଆଲ୍ ପଡ଼ି ନଥିଲା। ଏଣେ ଜୟ ପ୍ରକାଶର ଘର ବିହାରରେ ଛାପା ମାରି ତା’ ବାପା-ମା କୁ ଅବକାରୀ ଅଧିକାରୀ ମାନେ ଥାନାରେ ବସାଇ ଦେଇଥିଲେ। ପୁଅ ସରେଣ୍ଡର କଲେ ଛାଡ଼ିବେ ବୋଲି ଚାପ ପକାଇ ଥିଲେ। ତେଣୁ ଜୟପ୍ରକାଶର ଭାଇ ମହେଶ ଗୁପ୍ତା ଏବଂ ଓକିଲଙ୍କ ପରାମର୍ଶ କ୍ରମେ ବଅଁରପାଳ ଜେଏମ୍ଏଫ୍ସି କୋର୍ଟରେ ଗୁରୁବାର ସରେଣ୍ଡର ହେବାକୁ ସ୍ଥିର ହୋଇଥିଲା। ଅପରାହ୍ନ ପ୍ରାୟ ତିନିଟା ବେଳେ ଜୟପ୍ରକାଶ ତାର ଓକିଲଙ୍କ ସହ କୋର୍ଟ ଭିତରକୁ ପ୍ରବେଶ କଲାବେଳେ ବାଟ ମୁହଁରେ ସାଧାବେଶରେ ଛକି ବସିଥିବା ପ୍ରାୟ ୩୦ ଜଣ କର୍ମଚାରୀ ଜୟପ୍ରକାଶକୁ କାବୁ କରି ନେଇଥିଲେ। ସର୍ବ ଶେଷ ଖବର ଅନୁଯାୟୀ ଅନୁଗୁଳ ବରିଷ୍ଠ ଅଧିକାରୀମାନେ ଜୟପ୍ରକାଶକୁ ଜେରା ପାଇଁ କଟକ ନେଇଯାଇଛନ୍ତି। ସେଠାରେ ଜେରା ସମ୍ପୂର୍ଣ୍ଣ ହେବାପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଉଚି।