ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦେଶୀ ମଦ ଦେକାନ ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି। ସ୍ଥାନୀୟ ସଭାଘରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଓ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ଉପସ୍ଥିତିରେ ଲଟେରି ମାଧ୍ୟମରେ ଏହି ଆବଣ୍ଟନ କରାଯାଇଥିଲା। ଜିଲ୍ଲାର ମୋଟ ୫୩ଟି ମଦ ଦେକାନ ପାଇଁ ୧୯୯୦ ଜଣ ଆବେଦନ କରିଥିଲେ। ଏଥିମଧ୍ୟରୁ ଅଧିକ ଲାଭଜନକ ଏନ୍ଟିପିସି ଅଞ୍ଚଳ ଦେକାନ ପାଇଁ ସର୍ବାଧିକ ୧୨୬ଟି ଆବେଦନ ପଡ଼ିଥିବା ବେଳେ ବଅଁରପାଳ ପାଇଁ ୧୧୦ ଓ କଳମଛୁଇଁ ପାଇଁ ୧୦୮ଟି ଆବେଦନ ହୋଇଥିଲା। ଅପରପକ୍ଷରେ, କମ୍ ବ୍ୟବସାୟ ହେଉଥିବା ମାଧପୁର, ହିଞ୍ଜିଳି ଓ ଅନ୍ତୁଳିଆ ଦେକାନ ପାଇଁ ମାତ୍ର ଜଣେ ଲେଖାଏଁ ଆବେଦନକାରୀ ଥିବାରୁ ଏହି ୩ଟିକୁ ଛାଡ଼ି ଅନ୍ୟ ସମସ୍ତ ଦେକାନର ଭାଗ୍ୟ ଲଟେରି ଦ୍ୱାରା ନିର୍ଦ୍ଧାରଣ ହୋଇଥିଲା।
ଏଥର ବ୍ୟବସାୟରେ ଏକଚାଟିଆ ଅଧିକାର ବଜାୟ ରଖିବାକୁ ପୁରୁଣା ବ୍ୟବସାୟୀମାନେ ନିଜ ସମ୍ପର୍କୀୟ ଓ କର୍ମଚାରୀଙ୍କ ନାମରେ ଏକାଧିକ ଆବେଦନ କରିଥିବା ଜଣାପଡ଼ିଛି। ଚର୍ଚ୍ଚା ମୁତାବକ, ଜଣେ ମାତ୍ର ବ୍ୟବସାୟୀଙ୍କ ଅକ୍ତିଆରକୁ ୧୫ଟି ଦେକାନ ଯାଇଛି। ସଭାଘର ବାହାରେ ଏଲ୍ଇଡି ପ୍ରଦର୍ଶନ ସହ ଜଣେ ଅଧିକାରୀ ଆଖିରେ ପଟି ବାନ୍ଧି ସ୍ୱଚ୍ଛତାର ସହ ଚିଟ୍ ଉଠାଇଥିଲେ।