ଅନ୍ୟାନ୍ୟ

ଲିଟରେଚର କନକ୍ଲେଭ୍ ଆୟୋଜିତ, ସାହିତ୍ୟକୁ ଅଧିକ ବ୍ୟବହାର କରିବା ଉପରେ ଗୁରୁତ୍ୱ

By Angul TV Bureau

October 17, 2022

ତାଳଚେର: ସ୍ଥାନୀୟ ମହାନଦୀ କୋଲ୍ ଫିଲ୍ଡ,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଅନନ୍ତ ବିହାର ଡିଏଭି ପବ୍ଲିକ୍ ସ୍କୁଲ ପକ୍ଷରୁ ଗ୍ରୀନଭାଲି ଅଡିଟୋରିଅମରେ ଲିଟରେଚର କନକ୍ଲେଭ୍ ଅନୁଷ୍ଠିତ ହୋଇଛି। ଉତ୍ସବରେ ଇଂରାଜୀ, ସଂସ୍କୃତ, ହିନ୍ଦୀ ତଥା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ସେବା ନିବୃତ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଧରଣୀଧର ନାଥ, ଅନୁଗୁଳ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ମନୋରଞ୍ଜନ ମିଶ୍ର, କେନ୍ଦ୍ରୀୟ ବିଦ୍ୟାଳୟର ଉପାଧ୍ୟକ୍ଷା ତଥା ହିନ୍ଦୀ ବିଭାଗର ମୁଖ୍ୟ ଡକ୍ଟର ଜ୍ୟୋତ୍ସ୍ନାପ୍ରିୟା ବେହେରା, ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ତଥା ଓଡ଼ିଆ ଚଳଚ୍ଚିତ୍ରର ସଂଳାପ ଲେଖକ ବିରଞ୍ଚି ନାରାୟଣ ସାମଲ ପ୍ରମୁଖ ଯୋଗ ଦେଇଥିଲେ।

ଲିଟରେଚର କନକ୍ଲେଭ୍ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅଧ୍ୟକ୍ଷାଙ୍କ ସମେତ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟକୁ ନେଇ ଛାତ୍ରଛାତ୍ରୀ କିଭଳି ନିଜର ଉଜ୍ଜ୍ଵଳ ଭବିଷ୍ୟତ ଗଢ଼ି ପାରିବେ ଏବଂ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ସମାଜରେ ଆପଣାକୁ ପ୍ରତିଷ୍ଠିତ କରି ପାରିବେ, ସେ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମରେ ସ୍ଵରଚିତ କବିତା ଆବୃତ୍ତି ମାଧ୍ୟମରେ ଭରପୂର ଆନନ୍ଦ ଉଠାଇଥିଲେ। ତୃତୀୟ ପର୍ଯ୍ୟାୟରେ କୁନି କୁନି ପିଲାମାନେ ସଚେତନତାଧର୍ମୀ ଗଳ୍ପକୁ ଅଭିନୟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ଚତୁର୍ଥ ପର୍ଯ୍ୟାୟରେ “ଅନନ୍ତ ସାହିତ୍ୟ ଆସର” ନାମକ ଏକ ମାସିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା। ପଞ୍ଚମ ପର୍ଯ୍ୟାୟରେ ପୁସ୍ତକ ପ୍ରଦର୍ଶନ ସହିତ ଡିଏଭି ସିଏମ୍ସସି ଦିଲ୍ଲୀର ଏକାଡେମିକ ନିର୍ଦ୍ଦେଶିକା ଡକ୍ଟର ନିଶି ପେଶିନଙ୍କ ରଚିତ “ଲେଟ୍ ଦେମ ଫ୍ଲାଏ” ଉନ୍ମୋଚିତ ହୋଇଥିଲା।

ଶେଷରେ ଉପସ୍ଥିତ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଞ୍ଚଳିକ ସହ ଅଧିକାରୀ ସୁରେନ୍ଦ୍ର କୁମାର ଭୋଇ, ତାଳଚେର ଟି.ଟି. ହାଇସ୍କୁଲର ଅଧ୍ୟକ୍ଷ ଶୁଭେନ୍ଦୁ ଶେଖର ବୋଷ୍, ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଫକୀରମୋହନ ସାହୁ, ଡିଏଭି ଗାର୍ଲସ୍ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସବିତା ପୂଜାରୀ, ଶିକ୍ଷକ କରୁଣାକର ସାହୁ, ଶିକ୍ଷୟିତ୍ରୀ ପ୍ରତ୍ୟୁଷା ଅମାନ୍ତ, ଅଧ୍ୟାପକ ପ୍ରଭାକର ମହାନ୍ତି, ସୀମାଞ୍ଚଳ ପତି ଯୋଗଦେଇଥିଲେ।