ମୁଖ୍ୟ ଖବର

ବିକାଶପଥରେ ଅନୁଗୁଳ: ୫ ଗ୍ରାମାଞ୍ଚଳ ରାସ୍ତା ହେବ ପିଚୁ ସଡ଼କ, ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

By Angul TV Bureau

February 11, 2026

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ଅଞ୍ଚଳର ୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରାମୀଣ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର.ଡି) କୁ ହସ୍ତାନ୍ତର କରାଯାଇଛି। ଦୀର୍ଘ ଦିନରୁ ଅବହେଳିତ ହୋଇ ପଡ଼ି ରହିଥିବା ଏହି ରାସ୍ତାଗୁଡ଼ିକର କାୟାକଳ୍ପ ବଦଳିବାକୁ ଯାଉଥିବାରୁ ସ୍ଥାନୀୟ ୫ଟି ପଞ୍ଚାୟତର ବାସିନ୍ଦା ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନୁଗୁଳ ଓ ବଅଁରପାଳ ବ୍ଲକର ନିମ୍ନଲିଖିତ ମାର୍ଗଗୁଡ଼ିକ ଏବେ ପିଚୁ ରାସ୍ତାରେ ରୂପାନ୍ତରିତ ହେବାକୁ ଯାଉଛି। ଏଥିମଧ୍ୟରେ ତଳଗଡ଼ ପଞ୍ଚାୟତର ଭୁବନପୁରରୁ ମୁଣ୍ଡାସାହି ଦେଇ ଯାଇଥିବା ୭ କିଲୋମିଟର ରାସ୍ତା ଏବଂ ଶ୍ରୀରାମପୁର ଗୋହିରାପଶିରୁ ସୁରେନ୍ଦ୍ରପୁର ଦେଇ ଖିଣ୍ଡା ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଅନ୍ତର୍ଭୁକ୍ତ।

ସେହିପରି ସାରଙ୍ଗପୁରରୁ କଲେଇପଦା ପର୍ଯ୍ୟନ୍ତ ୩ କିଲୋମିଟର, ମହିଧରପୁର ପଞ୍ଚାୟତର ନରସିଂହପୁରରୁ ଖମ୍ବେଶ୍ୱରୀ ପୀଠ ଦେଇ ସେରେଣାବେଡ଼ା ପର୍ଯ୍ୟନ୍ତ ୩ କିଲୋମିଟର ଏବଂ ସନ୍ତ୍ରୀ ପଞ୍ଚାୟତ ମହିଧରପୁରରୁ ଜାମୁସାହି ଓ ସନିଶ୍ଚର ମନ୍ଦିର ଦେଇ ବାଲିଝରି ପର୍ଯ୍ୟନ୍ତ ୪ କିଲୋମିଟର ରାସ୍ତାକୁ ସବୁଦିନିଆ ପିଚୁ ସଡ଼କ କରାଯିବ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବିଧାୟକ ଶ୍ରୀ ପ୍ରଧାନ ଏହି ରାସ୍ତାଗୁଡ଼ିକ ପାଇଁ ବିଭାଗୀୟ ଆବେଦନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକଳ୍ପ ଦ୍ୱାରା ହଜାର ହଜାର ଗ୍ରାମବାସୀଙ୍କ ଗମନାଗମନ ସୁବିଧା ହେବା ସହ ଅଞ୍ଚଳର ଅର୍ଥନୀତିରେ ମଧ୍ୟ ବ୍ୟାପକ ସୁଧାର ଆସିବ ବୋଲି ଆଶା କରାଯାଉଛି।