ଅନୁଗୁଳ: ଜଳ, ଜମି ଓ ଜଙ୍ଗଲକୁ ସାଧାରଣ ମଣିଷର ମୌଳିକ ଅଧିକାର ଭାବେ ସାବ୍ୟସ୍ତ କରିବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ଓଡ଼ିଶାର କୋଣ ଅନୁକୋଣରେ ଏବେ ଅଧିକାରର ସ୍ୱର ଗୁଞ୍ଜରିତ ହେଉଛି। ଏହି ପରିପ୍ରେକ୍ଷୀରେ ଗତ ଫେବ୍ରୁଆରି ୨୫ ତାରିଖରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମପୀଠ ସତ୍ୟଭାମାପୁରରୁ ଆରମ୍ଭ ହୋଇଥିବା ‘ଲୋକାଧିକାର ଯାତ୍ରା’ ଏବେ ତାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପଦଯାତ୍ରା କଟକ, ଯାଜପୁର, ସୁନ୍ଦରଗଡ଼ଠାରୁ ଆରମ୍ଭ କରି କୋରାପୁଟ ଓ ମାଲକାନଗିରି ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୨୪ଟି ଜିଲ୍ଲା ଅତିକ୍ରମ କରି ଶହ ଶହ କିଲୋମିଟର ପଥ ଅତିକ୍ରମ କରିସାରିଛି। ବିଭିନ୍ନ ଜନ ଆନ୍ଦୋଳନ, ରାଜନୈତିକ ସଂଗଠନ ଏବଂ ସାମାଜିକ କର୍ମୀମାନେ ଏହି ଯାତ୍ରାକୁ ଭବ୍ୟ ସ୍ୱାଗତ ଜଣାଇବା ସହ ‘ବିକଳ୍ପ ବିକାଶ’ର ଧାରା ଉପରେ ଗୁରୁତ୍ୱାରୋପ କରୁଛନ୍ତି।
ଆଜି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ଏହି ଯାତ୍ରା ପହଞ୍ଚିବା ପରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଯାତ୍ରାର ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଗ୍ରୀନ୍ ନୋବେଲ ବିଜେତା ତଥା ଜନନେତା ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ପ୍ରକୃତି ଓ ପରିବେଶ ସୁରକ୍ଷା ପାଇଁ ସାଧାରଣ ଜନତାଙ୍କୁ ସଜାଗ ହେବାକୁ ଆହ୍ୱାନ ଦେଇଥିଲେ। ବିକାଶ ନାମରେ ପ୍ରକୃତିର ବିନାଶକୁ କେବେହେଲେ ସହ୍ୟ କରାଯିବ ନାହିଁ ବୋଲି ସେ ନିଜ ଉଦବୋଧନରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।