ମୁଖ୍ୟ ଖବର

ଅନୁଗୋଳରେ ବିଜେପିର ‘ଲୋକତନ୍ତ୍ର ବଞ୍ଚାଓ’ ପଦଯାତ୍ରା: କଂଗ୍ରେସକୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର, ଗଣତନ୍ତ୍ର ଓ ଜନମତକୁ ସମ୍ମାନ ଦେବାକୁ ଆହ୍ୱାନ

By Angul TV Bureau

November 11, 2026

ଅନୁଗୋଳ : କଂଗ୍ରେସର ରାଜନୈତିକ ଆଭିମୁଖ୍ୟ ଓ ତୁଷ୍ଟୀକରଣ ନୀତିକୁ ନେଇ ଅନୁଗୋଳରେ ବର୍ଷିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୁଧବାର ଅନୁଗୋଳରେ ଆୟୋଜିତ ‘ଲୋକତନ୍ତ୍ର ବଞ୍ଚାଓ-ଅରାଜକତା ହଟାଓ’ ପଦଯାତ୍ରାରେ ସାମିଲ ହୋଇ ସେ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଥିଲେ।ଶ୍ରୀ ପ୍ରଧାନ କହିଥିଲେ, ଦେଶର ଗଣତନ୍ତ୍ର ଗରିବ ଓ ଆଦିବାସୀ ପରିବାରରୁ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ସର୍ବୋଚ୍ଚ ପଦବୀରେ ପହଞ୍ଚିବାର ସୁଯୋଗ ଦେଇଛି। ଏହାର ଉଦାହରଣ ହେଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାତ୍ର ଏଭଳି ନେତୃତ୍ୱକୁ କଂଗ୍ରେସର ଶୀର୍ଷ ନେତୃତ୍ୱ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନିର୍ବାଚନ ଆୟୋଗ, ସମ୍ବିଧାନ ଓ ଗାଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଜନମତକୁ ଅବମାନନା କରୁଥିବା ସେ କହିଥିଲେ। ବାବରୀ ମସଜିଦ୍ ଓ ବଟଲା ହାଉସ୍ ଏନ୍‌କାଉଣ୍ଟର ପ୍ରସଙ୍ଗ ଉଠାଇ କଂଗ୍ରେସର ଆଭିମୁଖ୍ୟକୁ ମଧ୍ୟ ସେ ସମାଲୋଚନା କରିଥିଲେ। ଏଥିସହ ଦେଶର ସେନା ଓ ସୁରକ୍ଷା ବାହିନୀର ବଳିଦାନ ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ପ୍ରଶ୍ନ ଉଠାଇବାକୁ ନେଇ କଂଗ୍ରେସକୁ ଘେରିଥିଲେ।

ଅନ୍ୟପକ୍ଷରେ ଓଡ଼ିଶାରେ ବିଜେପି ସରକାରଙ୍କ କାର୍ଯ୍ୟକୁ ସଫଳତାର ଉଦାହରଣ ଭାବେ ଉପସ୍ଥାପନ କରି ଶ୍ରୀ ପ୍ରଧାନ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ବିକାଶର ନୂଆ ଅଧ୍ୟାୟ ଆରମ୍ଭ କରିଛି। ଭତ୍ତା ବଣ୍ଟନଠାରୁ ଆରମ୍ଭ କରି ଆବାସ ଯୋଜନା, ସଡ଼କ ନିର୍ମାଣ ଓ ଗ୍ରାମୀଣ ବିକାଶ କାର୍ଯ୍ୟ ଆଗେଇ ଚାଲିଥିବା ସେ ଦାବି କରିଥିଲେ।

ଏହି ପଦଯାତ୍ରା ଓ ସଭାରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ ବହୁ ବିଜେପି ନେତା ଓ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଗାଁ ଗାଁରେ ଏହି ପ୍ରସଙ୍ଗରେ ଜନଜାଗରଣ ସୃଷ୍ଟି କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ।