ଘଟଣା ଓ ଦୁର୍ଘଟଣା

କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନକୁ ଲୁଟ୍ ଉଦ୍ୟମ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ଜୀବନ

By Angul TV Bureau

September 11, 2022

ଆଠମଲ୍ଲିକ : ସ୍ଥାନୀୟ କନ୍ଧପଡା ପୋଲ ନିକଟରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍ ଭ୍ୟାନକୁ ଗତ ଗୁରୁବାର ରାତିରେ ୩ ଜଣ ଅଟକାଇ ଡକାୟତି ଉଦ୍ୟମ କରିଥିବା ନେଇ ଆଠମଲ୍ଲିକ ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳର ମୁବାରକ ଖାଁ ଆଠମଲ୍ଲିକରୁ ସୋନପୁର ଜିଲ୍ଲାର ବିଭିନ୍ନ କମ୍ପାନୀକୁ ନିଜ ପିକଅପ ଭ୍ୟାନରେ କୁକୁଡ଼ା ପରିବହନ କରିଥାନ୍ତି। ଗତ ଗୁରୁବାର ସେ ପିକ ଅପ ଭ୍ୟାନ( ଓଡ଼ି୧୯ ୟୁ ୪୩୦୪ )ରେ କୁକୁଡ଼ା ବୋଝେଇ କରି ସୋନପୁର ଯାଉଥିଲେ। କନ୍ଧପଡା ନାଳ ପୂର୍ବରୁ ଥିବା ହମ୍ପସ ନିକଟରେ ଗାଡିଟି ସ୍ଲୋ ହେବାରୁ ୩ ଜଣ ଯୁବକ ହାତରେ କଟୁରୀ, ଠେଙ୍ଗା ଧରି ମୁହଁରେ ମୁଖା ପିନ୍ଧି ଗାଡିକୁ ଅଟକାଇ କାଚ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଡ୍ରାଇଭର ସୂର୍ଯ୍ୟକାନ୍ତ ପାତ୍ର ଉପସ୍ଥିତ ବୁଦ୍ଧି ଖଟାଇ ସେଠାରୁ ଦ୍ରୁତଗତିରେ ପଳାଇଯିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ଗାଡିର ବନେଟକୁ ହାଣିବାକୁ ଚୋଟ ମାରିଥିବା ଜଣାଯାଇଛି। ଜୀବନ ବିକଳରେ ଡ୍ରାଇଭର ଗାଡି ଧରି ପଳାଇବାରେ ସକ୍ଷମ ହୋଇଥିଲେ। ସୋନପୁରରେ କୁକୁଡ଼ା ଖାଲିକରି ଫେରିବା ପରେ ଡ୍ରାଇଭର ସୂର୍ଯ୍ୟକାନ୍ତ ଘଟଣା ସମ୍ପର୍କରେ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି।