ଅନୁଗୁଳ: ତାଳଚେର କୋଲିୟରୀ ଥାନା ଇଲାକାରେ ମାତିଛନ୍ତି ଦୁର୍ବୃତ୍ତ । ଶନିବାର ରାତିରେ ବଲଣ୍ଡା ଠାରେ ଜଣେ ଯୁବକଙ୍କ ବେକରେ ଖଣ୍ଡା ଲଗାଇ ଲୁଟିଛନ୍ତି ଦୁର୍ବୃତ୍ତ । ତାଙ୍କ ଠାରୁ ମୋବାଇଲ, ଟଙ୍କା ସହ ଏଟିଏମ୍ କାର୍ଡ଼ ଲୁଟି ଚମ୍ପଟ ମାରିଛନ୍ତି ।ସୂଚନା ମୁତାବକ, ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ଲୋକେଶ କୁମାର ସାହୁ (୩୬)। ତାଙ୍କ ଘର ସମଲ ଥାନା ଇଲାକା ପରାବିଲ ଗ୍ରାମରେ ହୋଇଥିବା ବେଳେ ସେ ବଲଣ୍ଡା ଜଗନ୍ନାଥ କଲୋନୀରେ ରହୁଛନ୍ତି । ଲୋକେସ ୧୩ ତାରିଖ ଦିନ ପରାବିଲ ଯାଇଥିଲେ । ରାତିରେ ବଲଣ୍ଡା ଫେରୁଥିବା ବେଳେ ବଲଣ୍ଡା କନଭର ବେଲ୍ ନିକଟରେ ଲୁଟ୍ର ଶିକାର ହୋଇଥିଲେ । ଦୁଇ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକରେ ଆସି ତାଙ୍କୁ ଅଟକାଇବା ସହ ବେକରେ ଖଣ୍ଡା ଲଗାଇ, ପର୍ସରେ ଥିବା ୭୦୦ ଟଙ୍କା, ମୋବାଇଲ, ଏଟିଏମ୍ କାର୍ଡ, ଡିଏଲ୍ ଆଦି ଛଡ଼ାଇ ନେଇଥିଲେ । ଏନେଇ ଲୋକେଶ କୋଲିୟରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।