ମୁଖ୍ୟ ଖବର

ଅମାନବୀୟ! ବନ୍ଧୁକ ଦେଖାଇ ଦୁର୍ଘଟଣାରେ ମୃତକ ବ୍ୟକ୍ତିଙ୍କ ଘରେ ଡକାୟତି, ଟଙ୍କା – ସୁନା ଲୁଟ୍

By Sanjeeb Biswal

November 26, 2024

ଅନୁଗୁଳ: ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘରେ କଳା କନା ବୁଲାଇଲେ ଚୋର। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗ୍ରାମରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ ଜଣେ ବ୍ୟକ୍ତିଙ୍କ ଘର ଲୋକକୁ ଡରାଇ ଚୋରମାନେ ଘରୁ ଜିନିଷ ଲୁଟି ନେଇଛନ୍ତି।

ସୂଚନା ମୁତାବକ, ସୋମବାର ଘରକୁ ଫେରୁଥିବା ବେଳେ ବାଗେଡ଼ିଆ ଥାନା ବରସାହି ପ୍ରାଥମିକ ବିଦ୍ୟାଳୟ ନିକଟରେ ଟ୍ରାକ୍ଟରରୁ ଖସି ପଡ଼ି ବିଜୟ କୁମାର ସାହୁଙ୍କ ମୃତ୍ୟୁ ଘଟିଥିଲା। ସନ୍ଧ୍ୟା ହୋଇ ଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରିନଥିଲା। ଲକ୍ଷ୍ମୀପ୍ରିୟାପୁର ଅଞ୍ଚଳ ଘଞ୍ଚ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ତାଙ୍କ ଘରକୁ ସାହି ପଡିଶା ସହ ବନ୍ଧୁବାନ୍ଧବଙ୍କ ଭିଡ ହୋଇଥିଲା। ରାତିରେ ପାଖାପାଖି ୧୦ ଜଣ ଡକାୟତ ହଠାତ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଲୁଟେରାମାନେ ବିଜୟଙ୍କ ଭାଇ ଅଜୟ କୁମାର ସାହୁଙ୍କ ବେକରେ ଖଣ୍ଡା ଲଗାଇବା ସହ ମୁଣ୍ଡରେ ମାଉଜର ଲଗାଇ ଭୟଭୀତ କରିଥିଲେ। ପରେ ଘରେ ଥିବା ଆଲମାରି ସହ କାଠ ବାକ୍ସ ଭାଙ୍ଗି ୧ ଲକ୍ଷ ୩୫ ହଜାର ସହ ୫ ଭରି ସୁନା ରୁପା ନେଇଥିଲେ। ଏଥିସହ ମୃତ ବିଜୟଙ୍କ ପତ୍ନୀ ଚାରୁଲତା ସାହୁଙ୍କ ବେକରେ ଓ କାନରେ ପିନ୍ଧିଥିବା ସୁନା ସହ ଉପସ୍ଥିତ ଥିବା ୧୫ ଜଣ ମହିଳାଙ୍କ ସୁନା ମଧ୍ୟ ନେଇଯାଇଥିଲେ। ଏଥିସହ ୧୧ ଟି ମୋବାଇଲ ମଧ୍ୟ ଲୁଟେରା ନେଇଯାଇଥିଲେ। ଦୀର୍ଘ ୨ ଘଣ୍ଟା କାଳ ଗ୍ରାମରେ ଲୁଟେରା ମାନେ ଆତଙ୍କ ରାଜ ଚଳାଇଥିବା ବେଳେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଥିଲେ। ଗଲା ବେଳକୁ ସେମାନେ ଗାଁ ଲୋକଙ୍କୁ ଘରେ ତାଲା ପକାଇ ଦେଇଯାଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏକ ବୋଲେରୋରେ ୧୦ ଜଣ ବ୍ୟକ୍ତି ଆସି ଗ୍ରାମ ମୁଣ୍ଡରେ ପ୍ରଥମେ ମଦ୍ୟପାନ କରିଥିଲେ। ପରେ ଗାଡ଼ିରେ ରଖିଥିବା ଭୁଜାଲି, ଖଣ୍ଡା, ଠେଙ୍ଗା, ଲୁହା ରଡ ସହ ୨ ଟି ମାଉଜର ଧରି ଏକ ସଙ୍ଗେ ଘରକୁ ଦୌଡି ଆସି ଲୁଟ କରିଥିଲେ।

ଖବର ପାଇ ମଙ୍ଗଳବାର ହଣ୍ଡପା ଆଇଆଇସି ନମିତା ନାୟକଙ୍କ ନେତୃତ୍ବରେ ଏକ ଟିମ୍ ଗାଁକୁ ଯାଇ ତଦନ୍ତ ଚଳାଇଛି। ତେବେ ଲୁଟ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ। ମୌଖିକ ଭାବରେ ଖବର ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ଆଇଆଇସି କହିଛନ୍ତି।