ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାରିଜଣ ଦୁର୍ବୃତ୍ତଙ୍କ ଦ୍ୱାରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟପାଟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଗତକାଲି ଘଂଟପଡ଼ା ଗ୍ରାମର ସତ୍ୟ ସୁମନଙ୍କୁ ଚାରିଜଣ ଦୁର୍ବୃତ୍ତ ବାଇକରେ ଆସି ଭୂଜାଲିରେ ଆକ୍ରମଣ କରି ବେକରୁ ସୁନା ଚେନ ଓ ୧ ଲକ୍ଷ ୫୫ ହଜାର ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ଆହତ ସୁମନଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।
ସେହିପରି ନୂଆ ହେଂସମୂଳ ଗ୍ରାମର ଅଞ୍ଜଳୀ ସାହୁଙ୍କ କାନରୁ ଦୁର୍ବୃତ୍ତମାନେ କାନଫୁଲ ଝାମ୍ପି ନେଇ ପଳାଇଥିବା ବେଳେ ଅଞ୍ଜଳୀଙ୍କ କାନରେ ଗଭୀର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହି ଦୁଇ ଘଟଣାକୁ ନେଇ ତାଳଚେର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଞ୍ଚଳବାସୀ ଏହି ଲୁଟପାଟ ଘଟଣାକୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି।