ମୁଖ୍ୟ ଖବର

ନକଲି ଆଇଡି ଦେଇ ଲକ୍ଷାଧିକ ଟଙ୍କାର ଜମି ଲୁଟ, ବିରୋଧ କରିବାରୁ ପରିବାରକୁ ହତ୍ୟା ଧମକ

By Sanjeeb Biswal

November 01, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପୋଡ଼ାପଡ଼ା ଗ୍ରାମର ଜଙ୍ଗଲ ମୌଜାର ଜମିକୁ ଜାଲିଆତି କରି ହଡ଼ପ କରିବା ସହ ଜମି ମାଲିକଙ୍କ ପରିବାରକୁ ହତ୍ୟା ଧମକ ଦେଉଥିବା ନେଇ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ତୁରଙ୍ଗ ଗ୍ରାମର ମୁକେଶ ଅଗ୍ରୱାଲଙ୍କ ଛେଣ୍ତିପଦା ତହସିଲ ଅନ୍ତର୍ଗତ ପୋଡାପଡା ଜଙ୍ଗଲ ମୌଜାରେ ଖାତା ନମ୍ବର ୧୦୯/୩୨ ପ୍ଲଟ ନମ୍ବର ୮୦୪/୮୫୧ ଏରିଆ ୧.୦୦୨ ଡେସିମିଲ ୦୪୦୫୦ ହେକ୍ଟର ଜମିକୁ ୨୦୧୭ ମସିହାରେ ବାଗଡିଆ ଗ୍ରାମର ସରୋଜ ବେହେରା ଓ ପାତ୍ରପଡା ଗ୍ରାମର ଭକ୍ତ ସାହୁଙ୍କ ସାକ୍ଷୀ ଯୋଗେ ଜାଲିଆତି କରି ବିକି ଦେଇଥିବା ନେଇ ଜାଣିବାକୁ ପାଇଥିଲେ।

ଏନେଇ ମୁକେଶ ଅଗ୍ରୱାଲ ଉକ୍ତ ଜମି କିଣିଥିବା କ୍ରେତାଙ୍କୁ ଜମି ଫେରାଇବା ପାଇଁ କହିବାରୁ କ୍ରେତାଙ୍କ ସ୍ୱାମୀ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଛନ୍ତି। ଜମି ଜାଲିଆତି ହୋଇଥିବା ଜାଣିବା ପରେ ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଦୌଡି ନିରାଶ ହୋଇଥିଲେ। ନିରୁପାୟ ହୋଇ ଗତ ୨୭ ଏପ୍ରିଲ ୨୦୨୩ରେ ମୁକେଶ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେ ଘଟଣା ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ମୁକେଶଙ୍କ ଅଭିଯୋଗର ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ଆରକ୍ଷୀ ଅଧିକାରୀ ଛେଣ୍ଡିପଦା ଥାନାକୁ ନିର୍ଦ୍ଦେଶ ଦେଇଥିଲେ।

ଏ ନେଇ ଛେଣ୍ତିପଦା ଥାନା କେସ ନଂ ୪୬୬/୨୩ ଦଫା ୪୧୭, ୪୧୯, ୪୨୦, ୪୬୫, ୪୬୭, ୪୬୮/୧୨୦(ବି) ଆଇପିସିରେ ଏକ ମାମଲା ରୁଜୁ କରିବା ସହ ଏସଆଇ ସଂଘମିତ୍ରା ଶତପଥୀ ଘଟଣାର ତଦନ୍ତ ଚଳାଇଛନ୍ତି।