ଅନୁଗୁଳ: ୧୩ ବର୍ଷର ବିବାହକୁ ଭୁଲି ପ୍ରେମିକ ସହ ଧରାପଡ଼ିଥିବା ସ୍ତ୍ରୀକୁ ବିବାହ କରାଇଲେ ସ୍ୱାମୀ। ପରକୀୟା ପ୍ରୀତି ପାଇଁ ପତ୍ନୀକୁ ତା ପ୍ରେମିକ ସହ ବିବାହ କରାଇଦେଲେ। ଆଜି ଅନୁଗୁଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା।
ଗତକାଲି ଅନୁଗୁଳ ବାମୁରୁ ସାହାଜବାହାଳି ଗାଁର ରମାକାନ୍ତ ପ୍ରଧାନ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ପଲସ୍ତି ବେହେରା ସହ ଅନୁଗୁଳ ଟାଉନର ଏକ ହୋଟେଲରୁ ଠାବ କରିଥିଲେ। ସ୍ତ୍ରୀ ଦେହ ଖରାପର ବାହାନା କରି ଅନୁଗୁଳ ଡାକ୍ତର ଦେଖାଇବାକୁ ଆସିଥିଲେ। ଆଉ ଅନୁଗୁଳରେ ପହଞ୍ଚି ପ୍ରେମିକ ସହ ଏକ ହୋଟେଲରେ ରହିଥିଲେ। ସ୍ୱାମୀ ରମାକାନ୍ତଙ୍କର ସନ୍ଦେହ ହେବାରୁ ସେ ବି ତାଙ୍କୁ ପିଛା କରି ହୋଟେଲରେ ପହଞ୍ଚିଥିଲେ। ହୋଟେଲରୁ ବାହାରିବା ପରେ ରମାକାନ୍ତ ଓ ତାଙ୍କର କିଛି ସାଙ୍ଗ ସ୍ତ୍ରୀ ଓ ତାଙ୍କ ପ୍ରେମିକକୁ ଧରିଥିଲେ। ଉଭୟଙ୍କ ଭିତରେ ଝଗଡ଼ା ଓ ପରେ ମାରପିଟ ହୋଇଥିଲା। ପରେ ପୋଲିସ ଯାଏଁ କଥା ପହଞ୍ଚିଥିଲା।
ଆଜି ପୋଲିସ ନିକଟରେ ରମାକାନ୍ତ ତାଙ୍କ ସ୍ତ୍ରୀକୁ ଛାଡ଼ିବା କଥା କହିଥିଲେ। ପରେ ତାଙ୍କ ସ୍ତ୍ରୀ ଓ ପ୍ରେମିକକୁ ସେ ବାହା କରାଇଥିବା ଜଣାଯାଇଛି। ପ୍ରକାଶ ଯେ ରମାକାନ୍ତ ଓ ତାଙ୍କ ସ୍ତ୍ରୀଙ୍କର ୧୨ ଓ ୭ ବର୍ଷ ବୟସର ଦୁଇ ଛୁଆ ଅଛନ୍ତି।