ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ କଳସ ଯାତ୍ରା,ଦେବୀଙ୍କ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡଶ ଉପଚାର ପୂଜା,ଚଣ୍ଡୀପାଠ,ହୋମ, ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା। ଦୁର୍ଗାପୂଜା ଅବସରରେ ୨୦ରୁ ଅଧିକ ଷ୍ଟଲ ଲାଗିଥିବା ବେଳେ ବ୍ରହ୍ମକୁମାରୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଧ୍ୟାତ୍ମିକ ଫଟୋ ପ୍ରଦର୍ଶନୀ,ସତୁରୀ ଦଶକରୁ ଆଜିଯାଏଁ ଅନୁଗୁଳର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଘଟିଥିବା ବିଭିନ୍ନ ଘଟଣାବଳୀକୁ ନେଇ ସ୍ଵତନ୍ତ୍ର ଫଟୋ ପ୍ରଦର୍ଶନୀ ଲୋକଙ୍କୁ ବେଶ ଆକର୍ଷିତ କରୁଛି। ସନ୍ଧ୍ୟାରେ ମା ବାସନ୍ତୀ ନୃତ୍ୟ ପରିଷଦ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା। ଆସନ୍ତା ବୁଧବାର ମହାଷ୍ଟମୀ ପୂଜା ଅବସରରେ ଚଣ୍ଡୀପାଠ,ହୋମ ସନ୍ଧିପୂଜା ଆଦି ଅନୁଷ୍ଠିତ ହେବ। ସନ୍ଧ୍ୟା ରେ ଉତ୍କଳ କରାଟେ ସଂଗଠନ ପକ୍ଷରୁ ବିଭିନ୍ନ ଫାଇଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସଭାପତି ଶକ୍ତି ପଟ୍ଟନାୟକ ଓ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ ଦେବତା ଜଣାଇଛନ୍ତି।