ମୁଖ୍ୟ ଖବର

ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହେଲା ମା’ ବାୟାଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା: ସୁସଜ୍ଜିତ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ବାୟାଣୀ

By Angul TV Bureau

March 20, 2026

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ପାତ୍ରପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବାୟଣୀଙ୍କ ବାର୍ଷିକ ପୂଜା ଓ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ଦେବୀନଗର ପାହାଡ଼ର ପାଦ ଦେଶରେ ପୂଜା ପାଉଛନ୍ତି ଦେବୀ ମା’ ବାୟାଣୀ। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଭକ୍ତିମୟ ପରିବେଶରେ କମ୍ପୁଛି ମା ବାୟାଣୀଙ୍କ ପୀଠ ସ୍ଥଳ। ବିଶ୍ୱାସ ରହିଛି ଯେ, ଭକ୍ତିରେ ମା’ଙ୍କୁ ଶୁଭ ମନାସୀ ଯିଏ ଯାହା ମାଗିଥାଏ ତାଙ୍କର ମନସ୍କାମନା ପୂରଣ ହୋଇଥାଏ। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କ ବାର୍ଷିକ ପୂଜା ଗ୍ରାମବାସୀଙ୍କ ତତ୍ୱାବଧାନରେ ପାଳିତ ହେଉଛି। ଏହି ଯାତ୍ରାରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବା ସହ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଆ ନବ ବର୍ଷ ପରେ ପଡିଥାଏ ମା’ ଙ୍କ ଯାତ୍ରା। ଏହି ଯାତ୍ରା ପ୍ରତ୍ୟେକ ବର୍ଷ ଚୈତ୍ର ମାସର ଦ୍ଵିତୀୟା ତିଥିରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥାଏ। ମା’ଙ୍କ ବାର୍ଷିକ ଯାତ୍ରାରେ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସମେତ ବହୁ ଛୋଟବଡ ବ୍ୟବସାୟୀ ମାନେ ଯୋଗ ଦେଇଥାନ୍ତି। ଆଜି ଭୋରରୁ ପୂଜକ ରୀତିନୀତି ଅନୁଯାୟୀ ମା’ ଙ୍କୁ ସୁସଜ୍ଜିତ କରିବା ପରେ ମା’ ବାୟାଣୀ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ଆଜି ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ପ୍ରାୟ ୮ ଶହରୁ ଉର୍ଦ୍ଧ୍ବ ମୁଣ୍ଡନ ହୋଇଥିବା ବେଳେ ଶତାଧିକ ମାନସିକଧାରୀ ମା’ଙ୍କ ନିକଟରେ ପହଞ୍ଚିଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ପୂଜାରେ ଭିଡ଼କୁ ନିୟନ୍ତ୍ରଣ ପାଇଁ ଜଣେ ଅତିରିକ୍ତ ଏସପି, ଏସଡିପିଓ, ୫ ଜଣ ଇନ୍ସପେକ୍ଟର, ୧୬ ଜଣ ଅଫିସରଙ୍କ ସମେତ ୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।