ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୧୯ ତମ ଲୋକ ମହୋତ୍ସବ ନିମନ୍ତେ ପ୍ରାକ୍-ପ୍ରସ୍ତୁତି ବୈଠକ ଗୁରୁବାର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ତାଳଚେର ଉପଜିଲ୍ଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ମହୋତ୍ସବ ଆସନ୍ତା ଏପ୍ରିଲ ୫ ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।ମା’ ହିଙ୍ଗୁଳାଙ୍କ ୯ ଦିନ ଧରି ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ହେବ ସେ ନେଇ ଆଜି ଆଲୋଚନା କରାଯାଇଛି। ପୂର୍ବରୁ ଯାତ୍ରା ସମୟରେ ହେଉଥିବା ଖର୍ଚ୍ଚର ପରିମାଣ ସାଂପ୍ରତିକ ପରିସ୍ଥିତିରେ ଅଧିକା ହେଉଥିବାରୁ ଚଳିତ ବର୍ଷ ଅତିରିକ୍ତ ଖର୍ଚ୍ଚ ଏବଂ ଟେଣ୍ଟ ସମ୍ପ୍ରସାରଣ ଉପରେ ଅଧିକ ହେବାକୁ ଥିବା ଖର୍ଚ୍ଚ ଏମ୍ସିଏଲ୍ ବହନ କରିବ। ଷ୍ଟଲଗୁଡିକ ନିରପେକ୍ଷ ଭାବରେ ଆବଣ୍ଟନ କରିବାକୁ ଟ୍ରଷ୍ଟବୋର୍ଡ ସଦସ୍ୟ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଚାର କରି ତାଳଚେର ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଷ୍ଟଲ ବଣ୍ଟନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଆଉ ୧୦୦ ଷ୍ଟଲ ବୃଦ୍ଧି କରିବାକୁ ନିଷ୍ପତ୍ତି ହେବା ସହିତ ପାର୍କିଂ ସ୍ଥାନ ବୃଦ୍ଧି ପାଇଁ ଘୋଷଣା ହୋଇଛି। ସେହିଭଳି ଚଳିତ ବର୍ଷ ଉଭାସ୍ଥଳୀରେ ୨୫ଟି ଷ୍ଟଲ ସହିତ ସୂଚନା କେନ୍ଦ୍ର ଓ ପ୍ରାଥମିକ ଚିକିତ୍ସା ନିମନ୍ତେ ଦୁଇଟି ସ୍ୱତନ୍ତ୍ର ଷ୍ଟଲ ନିର୍ମାଣ କରିଯିବ।
ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକନୃତ୍ୟ ଅନୁଷ୍ଠାନଗୁଡିକୁ ନିମନ୍ତ୍ରଣ କରାଯିବ ବୋଲି ସ୍ଥିର କରାଯାଇଛି। ଚଳିତ ବର୍ଷ ମାଙ୍କ ଯାତ୍ରା ନିମନ୍ତେ ଏକ ସଫେଇ ସବ୍ କମିଟି ଗଠନ କରାଯାଇଛି। ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କମିଟି କାର୍ଯ୍ୟ କରିବ ବୋଲି ସ୍ଥିର କରାଯାଇଥିଲା। ଏହାସହିତ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଯାତ୍ରାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକ ଶେଷରେ ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।