କଳା ଓ ସଂସ୍କୃତି

ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଆୟୋଜିତ

By Angul TV Bureau

August 21, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓ.ସି.ସି କଲୋନୀ ନିକଟସ୍ଥ ଆଖଣ୍ଡଳମଣି ଓ ମା’ ସନ୍ତୋଷୀ ମନ୍ଦିର ପରିସରରେ ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ପ୍ରତ୍ୟୁଷରୁ ମନ୍ଦିରରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା।

ଗତ ୯ ତାରିଖ ସନ୍ତୋଷୀ ମା’ଙ୍କ ୩୬ ତମ ଜନ୍ମ ଉତ୍ସବ ଅବସରରେ ବାପଘର ବାବାମଣି ମନ୍ଦିରକୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଓ ପ୍ରକଳ୍ପ ସ୍ଥିତ ମା’ ବାଟମଙ୍ଗଳାଙ୍କୁ ମନ୍ଦିରର ମୁଖ୍ୟ ଉପଦେଷ୍ଟା ସେବକ ଆକୁଳ ପଣ୍ଡାଙ୍କ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। ବୁଧବାର ଅପରାହ୍ନରେ ଲେଉଟାଣି ଉତ୍ସବ ଅବସରରେ ମନ୍ଦିରର ମୁଖ୍ୟ ଉପଦେଷ୍ଟା ସେବକ ଆକୁଳ ପଣ୍ଡାଙ୍କ ପୌରୋହିତ୍ୟରେ ନାମ ସଂକୀର୍ତ୍ତନ ସହ ଦୁଇ ଦେବୀଙ୍କର ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ବାହାରକୁ ଅଣାଯାଇଥିଲା। ସେଠାରେ ବାପଘରୁ ଝିଅବିଦା ସମୟରେ ଯେପରି ପିଠାପଣା, ଶାଢ଼ି, ଶଙ୍ଖା, ଭାର ଥୋର ସହ ପ୍ରସାଧନ ସାମଗ୍ରୀ ଦେଇ ଝିଅକୁ ବିଦା କରାଯାଇଥାଏ, ସେହିପରି ସମସ୍ତ ସାମଗ୍ରୀ ଉପହାର ସ୍ୱରୂପ ଦେଇ ଦୁଇ ଦେବୀଙ୍କର ମହିଳା ଭକ୍ତମାନେ ବନ୍ଦାପନା କରି ବିଦାୟ ଦେଇଥିଲେ।

ମନ୍ଦିର ଠାରୁ ଘଣ୍ଟଘଣ୍ଟା, ବାଜା ବାଣ, ନାମସଂକୀର୍ତ୍ତନ ସହିତ ଏକ ଶୋଭାଯାତ୍ରାରେ ଭକ୍ତମାନେ ବାହାରି ପ୍ରଥମେ ରେଙ୍ଗାଳି ପ୍ରକଳ୍ପ ସ୍ଥିତ କପିଳେଶ୍ଵର ମନ୍ଦିର ସମ୍ମୁଖରେ ଥିବା ମା’ ବାଟମଙ୍ଗଳାଙ୍କୁ ନିଜ ଆସ୍ଥାନରେ ଛାଡିବାପରେ ମା’ ହିଙ୍ଗୁଳାଙ୍କୁ ନେଇ ତାଳଚେର ସ୍ଥିତ ଗୋପାଳପ୍ରସାଦ ଅଭିମୁଖେ ଗସ୍ତ କରିଥିଲେ। ସେଠାରେ ମା’ଙ୍କୁ ବିଦାୟ ଦେଇ ଭକ୍ତଦଳ ରାତିରେ ରେଙ୍ଗାଳି ଫେରି ଆସିଥିବା ଜଣାଯାଇଛି।