କଳା ଓ ସଂସ୍କୃତି

ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ପାଳିତ

By Angul TV Bureau

April 06, 2022

ଅନୁଗୁଳ : କରୋନା ଯୋଗୁ ଗତ ୨ ବର୍ଷ ହେଲାଣି ବନ୍ଦ ଥିବା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ଆଜି ରୀତି ନୀତି ଅନୁସାରେ ପାଳିତ ହୋଇଛି। ଏ ଅବସରରେ ଆଜି ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମୁଖ୍ୟ ପୂଜକ ମା’ଙ୍କ ଚଳନ୍ତି ପ୍ରତିମାକୁ ପୂଜା କରିଥିଲେ। ଏହା ପରେ ଡାକୁଆମାନେ ପତିଆରଙ୍କୁ ନିମନ୍ତ୍ରଣ କରିବାକୁ ତାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ତିନି ଡାକ ଦେଇ ଡକା ଯିବା ପରେ ସେ ଘରୁ ବାହାରି ପାଖ ପୋଖରୀରେ ସ୍ନାନ କରିଥିଲେ। ପରେ ସେ କୁଟେଇଶୁଣି ମଣ୍ଡପକୁ ଯାଇଥିଲେ।

ସେଠାରେ ମୁଖ୍ୟ ଦେହୁରୀ ତାଙ୍କୁ ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପ୍ରଦାନ କରିଥିଲେ। ରାଜବସ୍ତ୍ର ପରିଧାନ କରିସାରିଲା ପରେ ତାଙ୍କୁ ଦେବୀ ରୂପରେ ଷୋଡ଼ଶୋପଚାର ବିଧି ଅନୁଯାୟୀ ଝୁଣା, ଧୂପ ଦେଇ ପୂଜା କରାଯାଇଥିଲା। ଏହି ପୂଜାକୁ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା ବୋଲି କୁହାଯାଏ। ପତିଆରଙ୍କ ଦେହରେ ମା’ ଆସି ଦେବୀ ହିଙ୍ଗୁଳାଙ୍କ ଆବିର୍ଭାବର ଦିଗ ସମ୍ପର୍କରେ ସୂଚନା ଦେଇଥାନ୍ତି। ଏହି ସୂଚନା ଅନୁସାରେ ଦେହୁରୀ ନିଶାର୍ଦ୍ଧରେ ଏକାକୀ ଯାଇ ମା’ଙ୍କ ଉଭାସ୍ଥଳୀକୁ ଚିହ୍ନଟ କରିଥାନ୍ତି।

ଏହି ପୂଜାରେ ମା’ ହିଙ୍ଗୁଳାଙ୍କ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ସହଯୋଗ କରିଥିଲେ। ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ, ଦିଲେଶ୍ୱର ସାମଲ, କିଶୋର ମହାନ୍ତି, ବାୟା ବାରିକ, ଟିହୁଙ୍କୁଳି ବାରିକଙ୍କ ସମେତ ମା ହିଙ୍ଗୁଳାଙ୍କ ସେବାୟତଙ୍କ ସହଯୋଗରେ ପୂଜା କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା।

ପ୍ରକାଶ ଯେ, ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ତଥା ୧୮ତମ ଲୋକ ମହୋତ୍ସବ ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।