ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପୀଠସାହି ଯାତ୍ରା ପଡ଼ିଆରେ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା’ଙ୍କ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
ପ୍ରତ୍ୟୁଷରୁ ଦେହୁରୀ ରଞ୍ଜନ କୁମାର ଗଡ଼ନାୟକ ତୁଳସୀପାଳସ୍ଥିତ ମା’ଙ୍କ ଆଲମ ଘରେ ପୂଜାର୍ଚ୍ଚନା କରିବା ପରେ ମା’ଙ୍କୁ ବିରାଟ ଶୋଭାଯାତ୍ରାରେ ଯାତ୍ରା ପଡ଼ିଆକୁ ଅଣାଯାଇଥିଲା। ଢୋଲ, ନିଶାଣ, ସିଂଘବାଦ୍ୟ, ପାଇକ ଖେଳ, ଲଉଡ଼ି ଖେଳ ଓ ବାଣ ରୋଷଣୀରେ ଦୁଇ ଗ୍ରାମ ଉତ୍ସବମୁଖର ହୋଇଥିଲା। ମହିଳାମାନେ ଘର ସମ୍ମୁଖରେ ଘଟ ସ୍ଥାପନ କରି ମା’ଙ୍କୁ ବନ୍ଦାପନା କରିଥିଲେ। ପୀଠରେ ପୂଜାର୍ଚ୍ଚନା ପରେ ମାନସିକଧାରୀମାନେ ପାଦୁକା ଗ୍ରହଣ କରିଥିବା ବେଳେ ଶତାଧିକ ଶିଶୁଙ୍କ ମୁଣ୍ଡନ ହୋଇଥିଲା। ରାତିରେ ମହାଦେଶ ପରେ ଗୁପ୍ତପୂଜା ଅନୁଷ୍ଠିତ ହୋଇଥିଲା।
ଯାତ୍ରା ପଡ଼ିଆରେ ଏକ ହଜାରରୁ ଊର୍ଦ୍ଧ୍ୱ ଛୋଟବଡ଼ ଦୋକାନ ଖୋଲିଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଭିଡ଼ ନିୟନ୍ତ୍ରଣ ପାଇଁ ଏଏସ୍ପି ରାଜୀବ ଲୋଚନ ପଣ୍ଡା ଓ ଥାନାଧିକାରୀ ଅୟେଶ କାନ୍ତ ଜେନାଙ୍କ ତତ୍ତ୍ୱାବଧାନରେ ୩ ଡିଏସ୍ପି, ୭ ସବ୍ଇନ୍ସପେକ୍ଟର ଓ ୮ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ଅସ୍ଥାୟୀ ପୋଲିସ ଶିବିର ଖୋଲାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ଥଣ୍ଡା ପାଣି ଓ ଦହି ସରବତ ବଣ୍ଟନ ବ୍ୟବସ୍ଥା ହୋଇଛି।
ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ତୁଳସୀପାଳସ୍ଥିତ ମା’ଙ୍କ ଦିଅଁ ଘରେ ଦର୍ଶନ କରିଥିଲେ। ଟ୍ରଷ୍ଟର ସଭାପତି ସୁନୀଳ କୁମାର ମାଝୀ, ସମ୍ପାଦକ ଭଜମନ ମହାନ୍ତି, ଦାଶରଥି ପାଏକ, ଦୈତାରୀ ସାହୁ, ଧୀରେନ୍ଦ୍ର ଗଡ଼ନାୟକ, ସୁବାଷ ସାମଲ, ବିନୋଦ ମାଝୀ, ଅଜୟ ବେହେରା, ରଣଜିତ୍ ଗଡ଼ନାୟକ, ଅଜିତ କୁମାର ନାଏକ, ସରପଞ୍ଚ ଟଙ୍କଧର ବେହେରାଙ୍କ ସମେତ ଟ୍ରଷ୍ଟି ଓ ଶାନ୍ତି କମିଟି ସଦସ୍ୟମାନେ ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି।