ଆଠମଲ୍ଲିକ: ଆଠମଲ୍ଲିକ ଦେବୋତ୍ତର ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ତହସିଲ ସମ୍ମିଳନୀ କକ୍ଷ ଠାରେ ଦେବୋତ୍ତର ସଭାପତି ତଥା ଉପଜିଲ୍ଲାପାଳ ତରଣୀ ସୁନାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ ଆସନ୍ତା ହୋଲପୋଡା ଓ ଦୋଳଉତ୍ସବ ପାଇଁ ଆବଶ୍ୟକ ବ୍ୟବସ୍ଥା, ନଗର ପରିକ୍ରମା ଶୋଭାଯାତ୍ରା, ଆଲୋକସଜ୍ଜା, ଶାନ୍ତିଶୃଙ୍ଖଳା ରକ୍ଷା, ଉଚିତ ସମୟରେ ମାଙ୍କ ପୂଜାର୍ଚ୍ଚନାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ପୁରୋହିତ ପ୍ରଫୁଲ୍ଲ ପାଣିଗ୍ରାହୀ ମା’ଙ୍କ ପୂଜା ସମୟ ନିର୍ଘଣ୍ଟ କରିଥିବା କହିଥିଲେ। ଏନଏସି ପକ୍ଷରୁ ଦୋଳମଣ୍ଡପକୁ ରଙ୍ଗ ଓ ବ୍ୟାରିକେଟ କରାଯିବ ବୋଲି ଅଧ୍ୟକ୍ଷା ଆଶାକୁମାରୀ ସାହୁ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଯଶୋବନ୍ତ ଦେହୁରୀ, ସହକାରୀ ଜିଲ୍ଲାପାଳ କୁଳମଣି ଦଳେଇ, ସହକାରୀ ଜିଲ୍ଲାପାଳ ସୁଜିତ କୁମାର ଭୋଇ, ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ଦାସ, ଉପଦେଷ୍ଟା ସଭ୍ୟ ଆଇନଜୀବୀ ସୁଶାନ୍ତ କୁମାର ମହାପାତ୍ର, ଆଇନଜୀବୀ ପୀତବାସ ସାହୁ, ଆଇନଜୀବୀ ଅଞ୍ଜନ କୁମାର ପ୍ରଧାନ, ପିଏଚଡି (ପାନୀୟ ଜଳ) କନିଷ୍ଠ ଯନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ନରେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ତହସିଲଦାର ଧନ୍ୟବାଦ ପ୍ରଦାନ କରିଥିଲେ।