କ୍ରୀଡ଼ା

ମା’ ତାରିଣୀ ୨ୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କୋଶଳା ରାମଚଣ୍ଡୀ କ୍ରିକେଟ କ୍ଲବକୁ ହରାଇ କୋରଡ଼ା ବାପୁଜୀ କ୍ରିକେଟ କ୍ଲବ୍ ଚାମ୍ପିଅନ

By Sanjeeb Biswal

February 12, 2023

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ତଥା ଜରପଡା ଥାନା କତଡା ପଞ୍ଚାୟତ ଅଧୀନ ବକଳା ଗ୍ରାମ ଖେଳ ପଡିଆ ଠାରେ ଆୟୋଜକ ମା’ ତାରିଣୀ କ୍ରିକେଟ କ୍ଲବ୍ ପକ୍ଷରୁ ଚାଲିଥିବା ୨ୟ ବାର୍ଷିକ ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚ୍ କୋରଡ଼ା ବାପୁଜୀ କ୍ରିକେଟ କ୍ଲବ୍ ଓ କୋଶଳା ମା ରାମଚଣ୍ଡୀ କ୍ରିକେଟ କ୍ଲବ୍ ମଧ୍ୟରେ ଖେଳା ଯାଇଥିଲା। ପ୍ରଥମେ ଟସ୍ ଜିତି କୋରଡ଼ା ଟିମ୍ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ମୋଟ୍ ୧୨୨ ରନ୍ ସଂଗ୍ରହ କରିବା ସହ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିଲା। ଏହାର ଜବାବରେ ପ୍ରତିପକ୍ଷ କୋଶଳା ଟିମ୍ ୧୭ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୯୬ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା। ଅମ୍ପାୟାର ଭାବେ କୁମୁଦ ଚନ୍ଦ୍ର ସିଂହ ଏବଂ ତରୁଣ ଗଡ଼ନାୟକ ଯୋଗ ଦେଇ ଖେଳ ପରିଚାଳନା କରିଥିଲେ। ଦିଲ୍ଲୀପ କୁମାର ସିଂହ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂହ ଯୋଗ ଦେଇ ବିଜେତା ଦଳକୁ ଚାମ୍ପିଅନ ଟ୍ରଫି ପ୍ରଦାନ କରିବା ସହ ପୁରସ୍କୃତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ସରପଞ୍ଚଙ୍କ ପ୍ରତିନିଧି ରଞ୍ଜିତ କୁମାର ପ୍ରଧାନ, ସମିତି ସଭ୍ୟାଙ୍କ ପ୍ରତିନିଧି ଅମୂଲ୍ୟ କୁମାର ସାହୁ, ବରିଷ୍ଠ ନେତା ସୁଶୀଲ କୁମାର ସିଂହ, ବରିଷ୍ଠ ସାମ୍ବାଦିକ ଲମ୍ବୋଦର ସାହୁ, ଯୁବନେତା କେଶବ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଉଭୟ ଚାମ୍ପିଅନ ଏବଂ ରନର୍ସ ଟିମକୁ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବରାମ ସିଂହ, ଶଙ୍କର ସିଂହ, ଶ୍ରୀକାନ୍ତ ସିଂହ, ସତ୍ୟ ନାରାୟଣ ସିଂହ, ଦୁଃଖବନ୍ଧୁ ସିଂହ, ସିପୁନ ସିଂହ, ଅରୁଣ କୁମାର ସିଂହ, ବିନୋଦ ଭୋଇ, ବିମଳ ମାଝୀ, ଶ୍ରୀଧର ଭୋଇ, ପପୁ ଗଡ଼ନାୟକଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ ବୋଲି ଆୟୋଜକ ସୂଚନା ଦେଇଛନ୍ତି।