ଅନୁଗୁଳ : ଅନୁଗୁଳ ବ୍ଲକ ପୁରୁଣାଗଡ଼ ସ୍ଥିତ ପ୍ରସିଦ୍ଧ ଶ୍ରୀ ମଦନ ମୋହନ ମନ୍ଦିରର ଦାନ ହୁଣ୍ଡି ଆଜି ଖୋଲାଯାଇ ଗଣତି କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
ଗଣତି ପରେ ହୁଣ୍ଡିରୁ ମୋଟ ୪୮,୯୧୦ ଟଙ୍କା ନଗଦ ମିଳିଥିବା ବେଳେ ୧୦ ଗ୍ରାମ ସୁନା ଏବଂ ୪୦ ଗ୍ରାମ ରୁପା ବାହାରିଥିଲା। ଏହି ସମସ୍ତ ଅର୍ଥ ଓ ସାମଗ୍ରୀକୁ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଏବଂ ସେବାୟତମାନଙ୍କ ଦରମା ବାବଦରେ ଖର୍ଚ୍ଚ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।
ଏହି ସମୟରେ ଅତିରିକ୍ତ ତହସିଲଦାର ମିନାର୍ଭା ନାୟକ, ସୁପରଭାଇଜର ବ୍ରଜବନ୍ଧୁ ସାହୁ, ଚମ୍ପତ୍ତିମୁଣ୍ଡା ରାଜସ୍ୱ ନିରୀକ୍ଷକ ଯୁଗଳ କିଶୋର ନାୟକ ଏବଂ ବନ୍ତଳା ଥାନାଧିକାରୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ଉନ୍ନୟନ କମିଟି ସଭାପତି କୁମୁଦ ଚନ୍ଦ୍ର ପଣ୍ଡା, ସମ୍ପାଦକ ସୁନୀଲ ଦଳବେହେରା, ନିର୍ବାହୀ ଅଧିକାରୀ ରବିନାରାୟଣ ନନ୍ଦ ଏବଂ କମିଟିର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ଗଣତି କାର୍ଯ୍ୟରେ ସହଯୋଗ କରିଥିଲେ।