ମୁଖ୍ୟ ଖବର

ଆରମ୍ଭ ହେଲା ମାଘମେଳା ଓ ମହିମା ମହୋତ୍ସବ, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ

By Angul TV Bureau

February 03, 2023

ଅନୁଗୁଳ : ଅଙ୍ଗାରବନ୍ଧ ଠାରେ ମାଘମେଳା ଓ ମହିମା ମହୋତ୍ସବ-୨୦୨୩ ଉପଲକ୍ଷେ ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଚଳିତ ମାସ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଅଙ୍ଗାରବନ୍ଧରେ ହେବାକୁ ଥିବା ମାଘମେଳା ଓ ମହିମା ମହୋତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହାକୁ ଏକ ଅନ୍ତର୍ଜାତୀୟ ମହୋତ୍ସବରେ ପରିଣତ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ସଂସ୍କୃତି ବିଭାଗର କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ୪ ତାରିଖ ମାଘ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିଠାରୁ ପ୍ରତ୍ୟେକ ସନ୍ଧ୍ୟାରେ ଝାଡ଼ବତୀ ପ୍ରଜ୍ଜ୍ୱଳନ ହେବ ଏବଂ ୫ ତାରିଖ ପୂର୍ଣ୍ଣିମା ସନ୍ଧ୍ୟାରେ ମହିମା ମହୋତ୍ସବକୁ ସ୍ଥାନୀୟ ବିଧାୟକ ରଜନୀକାନ୍ତ ସିଂହ ଉଦଘାଟନ କରିବେ। ସେହିପରି ୭ ତାରିଖ ମଙ୍ଗଳବାର ଉଦଯାପନୀ ଉତ୍ସବ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ସମ୍ମାନିତ ଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ ଯୋଗ ଦେବେ। ଉଦଯାପନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ ଖୋର୍ଦ୍ଧାର ବିଶିଷ୍ଟ ସଙ୍ଗୀତକାର ସାଗର ସଙ୍ଗମ ଦଳ।

ତେବେ ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗାରବନ୍ଧ ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ନାଥ,କୋଷାଧ୍ୟକ୍ଷ ଅକ୍ଷୟ ସାହୁ, ସାଧାରଣ ସମ୍ପାଦକ ଦୁଷ୍ମନ୍ତ ସାହୁ, ଅଲେଖ ମହିମା ପରିଚାଳନା କମିଟି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ବିଜ୍ଞାନୀ ବେହେରା, ମହିମା ମହୋତ୍ସବର ସାଂସ୍କୃତିକ ସମ୍ପାଦକ ଡ.ଉପେନ୍ଦ୍ର ଶର୍ମାଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।