ମୁଖ୍ୟ ଖବର

ଅନୁଗୁଳରେ ମହା ଶିବରାତ୍ରୀ: ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼

By Biswaranjan Pattnaik

February 15, 2026

ଅନୁଗୁଳ: ମହା ଶିବରାତ୍ରୀ ତଥା ଜାଗର ଅମାବାସ୍ୟା ଅବସରରେ ଅନୁଗୁଳ ସହର ତଥା ଆଖପାଖ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହୋଇ ଯାଇଛି। ସୂର୍ଯ୍ୟାସ୍ତ ହେବା ମାତ୍ରେ ଭକ୍ତ ମାନେ ମନ୍ଦିରରେ ଭିଡ ଲଗାଇଛନ୍ତି। ଲିଙ୍ଗରାଜ ମନ୍ଦିର, ଆଖଣ୍ଡଳମଣି ମନ୍ଦିର, ଅମଲାପଡ଼ା ସର୍ପେଶ୍ୱର ମନ୍ଦିର, ହେମସୁରପଡ଼ା ସ୍ଵପ୍ନେଶ୍ୱର ମନ୍ଦିର, ରାଣିଗୁଡ଼ା ନୀଳକଣ୍ଠେଶ୍ଵର ମନ୍ଦିର, ମଝିକା, ଟିପିରିଶିଂହା, ଚଣ୍ଡିଖମଣ, ଶୈଳ ଶ୍ରୀକ୍ଷେତ୍ର କାଶୀ ବିଶ୍ଵନାଥ ଆଦି ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ବିଶେଷ ଭିଡ଼ ଦେଖିବାକୁ ମିଳିଥିଲା। ଜାଗର ଜାଳି ଭକ୍ତ ମାନେ ମାନସିକ ପୁରଣ ପାଇଁ ମହାଦୀପ ଉଠିବା ପର୍ଯ୍ୟନ୍ତ ଉପାସରେ ରହିବା ସାଙ୍ଗକୁ ଓମ୍ ନମଃ ଶିବାୟ ମନ୍ତ୍ର ଧ୍ଵନି ଉଚ୍ଚାରଣ କରୁଥିବା ଦେଖିବାକୁ ମିଳିଥିଲା। ଜାଗର ଅମାବାସ୍ୟାକୁ କେହି ଶିବଙ୍କ ଜନ୍ମ ଦିନ ଭାବେ ପାଳନ କରେ ତ କେହି ବିଷପାନ ଦିବସ ଭାବେ ପାଳନ କରନ୍ତି। ଯାହା ହେଉ ମନ୍ଦିର ମହା ଆଳତି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ନାମ ସଙ୍କୀର୍ତ୍ତନରେ ସହର ଶିବମୟ ହୋଇ ଉଠିଥିଲା। ଅଧିକାଂଶ ମନ୍ଦିରରେ ବିଳମ୍ବିତ ରାତିରେ ମହାଦୀପ ଉଠିବ ବୋଲି ଜଣାପଡିଛି।