ଅନୁଗୁଳ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ଆଜି ଜନ୍ମଦିନ। ସେ ୧୯୦୧ ନଭେମ୍ବର ୨୩ରେ ଜଗତସିଂହପୁର ଜିଲ୍ଲାର ଖେରସା ଗାଁରେ ଜନ୍ମ ନେଇଥିଲେ। ଏକଧାରାରେ ସେ ଥିଲେ ଜଣେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ ଓ ଲେଖକ। ୧୨ ମେ ୧୯୫୦ ରୁ ୧୯ ଅକ୍ଟୋବର ୧୯୫୬ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ।
୧୪ ବର୍ଷ ବୟସରେ ପ୍ୟାରୀମୋହନ ଏକାଡେମୀରେ ଶିକ୍ଷା ସମାପନ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ହେଲେ ପରାଧୀନ ଭାରତର ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା। ଏଣୁ ଅଧାରୁ ପାଠପଢ଼ା ଛାଡି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ସାବରମତୀ ଆଶ୍ରମରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା। ପରେ ସେ ଓଡ଼ିଶା ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ। ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ ଶାନ୍ତି ନିକେତନ ଯାଇଥିଲେ। ସେଠାରେ ମାଳତୀ ସେନଙ୍କ ସହ ପରିଚୟ ହୋଇଥିଲା। ପରେ ଉଭୟେ ବିବାହ କରି ଜଗସିଂହପୁର ଘରେ ରହି ଜନ ସେବା କରିଥିଲେ। ସେଠାରେ କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ ସାରଥୀ ଏବଂ ତା ପରେ କୃଷକ ନାମକ ପତ୍ରିକା ବାହାର କରିଥିଲେ।
ଏହାପରେ ସେ ରାଜନୀତିରେ ପ୍ରବେଶ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ତିର୍ତ୍ତୋଲ-ଏରସମା ଆସନରୁ ଲଢି ବିଜୟୀ ହୋଇଥିଲେ। ଭାରତ ସ୍ୱାଧୀନତା ପାଇବା ପରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇ ରାଜସ୍ୱ ମନ୍ତ୍ରୀ ହୋଇଥିଲେ। କିନ୍ତୁ ଏକ ମାତ୍ର ପୁଅ ବିନାୟକଙ୍କ ଆତ୍ମହତ୍ୟା ତାଙ୍କୁ ବ୍ୟଥିତ କରିବାରୁ ସେ ଇସ୍ତଫା ଦେଇ ଜନସେବାରେ ବ୍ରତୀ ହୋଇଥିଲେ।
ଏହି ସମୟରେ ସେ ଅନୁଗୁଳରେ ପତ୍ନୀଙ୍କ ସହ ରହୁଥିଲେ। ସହରର ବାଜି ରାଉତ ଛାତ୍ରାବାସରେ ପତ୍ନୀଙ୍କ ସହ ବାସ କରୁଥିଲେ ମୁଖ୍ୟମନ୍ତ୍ରୀ ଚୌଧୁରୀ। ସରକାରୀ ସୁଖ ସୁବିଧା ଛାଡ଼ି ସେ ଏହି ପାଣି ଗଳୁଥିବା କୁଡ଼ିଆରେ ରହିବାକୁ ପସନ୍ଦ କରିଥିଲେ। ରାଜ୍ୟର ମୁଖିଆ କ୍ଷମତା ଛାଡି ସେ ଏହି ନିପଟ ମଫସଲରେ ରହିବାକୁ ଶ୍ରେୟସ୍କର ଭାବିଥିଲେ। ଏ ଅବସରରେ ଗୁଜୁରାଣ ମେଣ୍ଟାଇବାକୁ ଉଭୟ ପତିପତ୍ନୀ ଜମିରେ ହଳ କରିବା ସହ କ୍ଷୀର ବିକୁଥିଲେ। ଏକ ଜମିଦାର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଆଜୀବନ ଜମିଦାରୀ ବିରୋଧରେ ଲଢ଼ିଥିଲେ ନବକୃଷ୍ଣ ଚୌଧୁରୀ।
ନବକୃଷ୍ଣଙ୍କ ଶାସନ କାଳରେ ହୀରାକୁଦ ବନ୍ଧ, ଓଡ଼ିଶା କୃଷି ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ଏବଂ ବୁର୍ଲା ବୈଷୟିକ ମହାବିଦ୍ୟାଳୟ ଆଦି ସ୍ଥାପିତ ହୋଇଥିଲା। ବହୁ ବିରୋଧ ସତ୍ତ୍ୱେ ତାଙ୍କ ଉଦ୍ୟମରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା। ୧୯୮୪ ଜୁନ ୨୪ରେ ସେ ପ୍ରାଣ ତ୍ୟାଗ କରିଥିଲେ।