ଅନୁଗୁଳ: ସ୍ଥାନୀୟ ଜରପଡା ଥାନା ଅନ୍ତର୍ଗତ ତପୋବନ ଢାବା ପଛ ଦଲକି ପାହାଡ଼ରୁ ଜଣେ ମହିଳାଙ୍କ ଗଳିତ ମୃତ ଦେହ ମିଳିଛି। ମହିଳାଙ୍କ ବେକକୁ ଏକ ସରୁ ଜିଆଇ ତାରରେ ବନ୍ଧା ଯାଇ ଆମ୍ବଗଛ ଡାଳରେ ଝୁଲାଇ ଦିଆଯାଇଛି। ତେବେ ମହିଳା ନିଜେ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ହତ୍ୟା କରି ଏଠାରେ ଟାଙ୍ଗି ଦେଇଛି ସେ ନେଇ ଏବେ ଯାଏଁ ଜଣାପଡିନାହିଁ। ମୃତ ମହିଳାଙ୍କ ବୟସ ୪୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଏନେଇ ଜରପଡା ପୁଲିସକୁ ଖବର ଦିଆଯାଇଥିଲେ ବି ସେମାନେ ଏବେ ଯାଏଁ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳେ ଛେଳି ଚରାଇବାକୁ ଯାଇଥିବା ଜଣେ ବ୍ୟକ୍ତି ମହିଳାଙ୍କ ଝୁଲନ୍ତା ମୃତ ଦେହ ଦେଖିଥିଲେ। ଏ ନେଇ ସେ ପ୍ରଥମେ ସ୍ଥାନୀୟ ଲୋକଙ୍କୁ କହିବା ସହ ଜରପଡା ପୁଲିସକୁ ସୂଚନା ଦେଇଥିଲେ। କିନ୍ତୁ ଏବେ ଯାଏଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ। ଏ ନେଇ ଜରପଡା ଆଇଆଇସି ସରୋଜ କାନ୍ତ ସାମଲଙ୍କୁ ପଚାରିବାରୁ ସେ ଖବର ପାଇଛନ୍ତି ଓ ଆସି ପହଞ୍ଚିବେ ବୋଲି କହିଛନ୍ତି। ତେବେ ପୁଲିସ ତଦନ୍ତ ପରେ ହିଁ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡିବ।