ଅନ୍ୟାନ୍ୟ

କରେଣ୍ଟ ଲାଗି ଦନ୍ତା ମୃତ୍ୟୁ ଘଟଣା: କୋର୍ଟ ଚାଲାଣ ହେଲା ମୁଖ୍ୟ ଅଭିଯୁକ୍ତ ସୁଶୀଲ

By Angul TV Bureau

April 12, 2022

ଅନୁଗୁଳ: କରତପଟା ସେକ୍ସନ ନନ୍ଦପୁର ପଞ୍ଚାୟତ ମାଧପୁର ଗାଁର ଡଙ୍ଗାପାଳ ଅଞ୍ଚଳରେ ଦନ୍ତା ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଶୀଲକୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ମାର୍ଚ୍ଚ ୮ ତାରିଖ ଦିନ ଡଙ୍ଗାପାଳର ସୁଶୀଲ ଦେହୁରୀଙ୍କ ପରିବା ବଗିଚାରେ ଏକ ଦନ୍ତା ହାତୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ସକାଳେ କିଛି ଲୋକ ନିଜ ଜମିକୁ ପନିପରିବା ପାଇଁ ଆସୁଥିବା ବେଳେ ମୃତ ହାତୀକୁ ଦେଖିଥିଲେ। ଏହି ଘଟଣା ପର ଠାରୁ ଜମି ମାଲିକ ସୁଶୀଲ ଫେରାର ଥିଲା। ବନ ବିଭାଗ ପ୍ରାଥମିକ ତଦନ୍ତ ଓ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବା ସ୍ପଷ୍ଟ ହୋଇଥିଲା। ତେବେ ଦୀର୍ଘ ମାସେ କାଳ ଫେରାର ରହିବା ପରେ ସୋମବାର ସୁଶୀଲ ବନ ବିଭାଗ ନିକଟରେ ଆତ୍ମ ସମର୍ପଣ କରିଛି। ସେ ହିଁ ହାତୀକୁ କରେଣ୍ଟ ଦେଇ ମାରିଥିବା ସ୍ୱୀକାର କରିଛି। ସୁଶୀଲକୁ ବନ ବିଭାଗ ଗିରଫ କରିବା ପରେ ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଅନୁଗୁଳ ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପ୍ରଧାନ ସୂଚନା ଦେଇଛନ୍ତି।