ମୁଖ୍ୟ ଖବର

ଜରପଡ଼ା ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ବିପୁଳ ପରିମାଣର ଚୋରା ଶାଗୁଆନ କାଠ ଜବତ

By Angul TV Bureau

April 13, 2026

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ଜରପଡ଼ା ରେଞ୍ଜରେ ବେଆଇନ କାଠ ଚୋରା ଚାଲାଣ ବିରୋଧରେ ଏକ ବଡ଼ ସଫଳତା ମିଳିଛି। ୧୩ ଏପ୍ରିଲ ୨୦୨୬ ସକାଳ ପ୍ରାୟ ୯:୨୩ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜରପଡ଼ା ରେଞ୍ଜ ଅଫିସରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଜରପଡ଼ା ବିଟ୍ ଅଧୀନରେ ଥିବା ମୁଣ୍ଡିଆସାହିରେ ଅତର୍କିତ ଚଢ଼ାଉ କରିଥିଲେ। ଏହି ଅପରେସନରେ ବହୁ ପରିମାଣର ବେଆଇନ ଶାଗୁଆନ କାଠ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରୁ ୩ଟି ଶାଗୁଆନ ଗଣ୍ଡି ଏବଂ ୫୨ଟି ଶାଗୁଆନ ପଟା ଜବତ କରାଯାଇଛି; ଯାହାର ମୋଟ ପରିମାଣ ୦.୪୮୬୭ ଘନ ମିଟର ବା ୧୭.୧୯ ଘନ ଫୁଟ ବୋଲି ଆକଳନ କରାଯାଇଛି। ଜଙ୍ଗଲ ଆଇନ ଓ ବିଭାଗୀୟ ନିୟମ ଅନୁସାରେ ଏହି ସମସ୍ତ ସାମଗ୍ରୀକୁ ଜବତ କରାଯିବା ସହ ବନ ବିଭାଗ ନିଜ ହେପାଜତକୁ ନେଇଛି। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି।

ଏହି ସଫଳ ଚଢ଼ାଉରେ ରେଞ୍ଜ ଅଫିସର ମାଧବ ଚନ୍ଦ୍ର ନାୟକଙ୍କ ସମେତ ଫରେଷ୍ଟର ରୀତାରାଣୀ ସେଠୀ, ଜ୍ୟୋସ୍ନାରାଣୀ ନାୟକ, ଫରେଷ୍ଟ ଗାର୍ଡ ନିତ୍ୟରଞ୍ଜନ ଖେତି ଏବଂ ଏଲିଫ୍ୟାଣ୍ଟ ସ୍କ୍ୱାଡର ସଦସ୍ୟ ଜନକ ମାଝୀ, ପାପୁ ପ୍ରଧାନ, ଗଣେଶ୍ୱର ସାହୁ, ପ୍ରଦ୍ୟୁମ୍ନ ମହାକୁଡ଼ ଓ ଜୟକୃଷ୍ଣ ଗଡ଼ନାୟକ ସାମିଲ ଥିଲେ।