ମୁଖ୍ୟ ଖବର

ଅନୁଗୋଳ ପୋଲିସର ବଡ଼ ଧରଣର ଚଢ଼ାଉ: ୩୭,୦୮୬ଟି ଗଞ୍ଜେଇ ଗଛ ନଷ୍ଟ, ୨ ଗିରଫ

By Angul TV Bureau

November 29, 2026

ଅନୁଗୋଳ: ଅବୈଧ ଗଞ୍ଜେଇ ଚାଷ ବିରୋଧରେ ଅନୁଗୋଳ ପୋଲିସର ବଡ଼ ଧରଣର ଅଭିଯାନ। ଜରପଡ଼ା ଓ ଛେଣ୍ଡିପଦା ଥାନା ଅଞ୍ଚଳରେ ପୋଲିସ, ବନ ବିଭାଗ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ୧୩.୭୨ ଏକର ଜମିରେ ଚାଷ ହୋଇଥିବା ୩୭ ହଜାର ୮୬ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ନଭେମ୍ବର ୨୯ ତାରିଖରେ ଏହି ବ୍ୟାପକ ଚଢ଼ାଉ କରାଯାଇଥିଲା। ଏଥିରେ ପୋଲିସର ଏକାଧିକ ସ୍ୱତନ୍ତ୍ର ଟିମ୍ ସାମିଲ ହୋଇଥିବା ବେଳେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୫ ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଥିଲେ। ଏଥିରେ ଅନୁଗୋଳ ଏସଡିପିଓ, ଜରପଡ଼ା ଓ ଛେଣ୍ଡିପଦା ଥାନା ଅଧିକାରୀଙ୍କ ସମେତ ବନ ଓ ଅବକାରୀ ବିଭାଗର ଅଧିକାରୀମାନେ ସାମିଲ ଥିଲେ। ଅନୁଗୋଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶରେ ଏହି ଅଭିଯାନ ପରିଚାଳିତ ହୋଇଥିଲା।

ଚଢ଼ାଉ ସମୟରେ ଛେଣ୍ଡିପଦା ଥାନା ଅଞ୍ଚଳରୁ ୨ ଏକର ଜମିରେ ଚାଷ ହୋଇଥିବା ୫ ହଜାର ୮୬ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ଏହି ଘଟଣାରେ ଜଣେ ଗିରଫ ହୋଇଛି। ସେହିପରି ଜରପଡ଼ା ଥାନା ଅଞ୍ଚଳରୁ ୧୧.୭୨ ଏକର ଜମିରେ ଚାଷ ହୋଇଥିବା ୩୨ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ଏବଂ ଜଣେ ଗିରଫ ହୋଇଛି।

ଏହି ଦୁଇଟି ଘଟଣାକୁ ନେଇ ଛେଣ୍ଡିପଦା ଥାନାରେ କେସ୍ ନଂ ୬୩୫ ଓ ଜରପଡ଼ା ଥାନାରେ କେସ୍ ନଂ ୫୭୭, ତାରିଖ ୨୯.୧୧.୨୦୨୬ରେ NDPS ଆଇନର ଧାରା ୨୦(ଏ)(i)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଅବୈଧ ଚାଷ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।