ମୁଖ୍ୟ ଖବର

ମାଳତୀ ଦେବୀଙ୍କ ଜମି ଛାତ୍ରାବାସ ନାମରେ ରେକର୍ଡ ହେଲା

By Angul TV Bureau

April 13, 2025

ଅନୁଗୁଳ: ଅନୁଗୁଳଠାରେ ପ୍ରଜାମଣ୍ଡଳ ଆନ୍ଦୋଳନରେ କାର୍ଯ୍ୟରତ କର୍ମୀ ତଥା ସ୍ଵାଧୀନତା ଆନ୍ଦୋଳନର କର୍ମୀମାନଙ୍କର ପିଲା ଓ ସମାଜର ଅନଗ୍ରସର ବର୍ଗର ପିଲାମାନଙ୍କର ଶିକ୍ଷା ନିମନ୍ତେ ଭାରତ ଛାଡ ଆନ୍ଦୋଳନ କାରଣରୁ କଟକ ଜେଲରେ ବନ୍ଦିନୀ ଥିବା ମାଳତୀ ଦେବୀ ଅନୁଗୁଳଠାରେ ଏକ ଶିକ୍ଷାନୁଷ୍ଠାନ ସ୍ଥାପନ ନିମନ୍ତେ ସ୍ଵପ୍ନ ଦେଖିଥିଲେ । ଜେଲରୁ ମୁକୁଳିବା କ୍ଷଣି ମାଳତୀ ଦେବୀ ୧୯୪୬ ମସିହାରେ ଗଡଜାତ ଆନ୍ଦୋଳନରେ ଶହୀଦ ହୋଇଥିବା ବୀର ବାଳକ ବାଜି ରାଉତଙ୍କ ନାମରେ ବାଜି ରାଉତ ଛାତ୍ରାବାସ ସ୍ଥାପନ କରିଥିଲେ, ଯାହା ଅଦ୍ୟାବଧି ଚାଲି ଆସୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୯୫ ମସିହାରେ ମାଳତୀ ଦେବୀ ଏକ ଇଚ୍ଛାପତ୍ର ମାଧ୍ୟମରେ ନିଜର ବ୍ୟକ୍ତିଗତ ସମ୍ପତ୍ତିରୁ ଦୁଇ ଏକର ତେଇଶି ଡେସିମିଲ ଜମି ବାଜି ରାଉତ ଛାତ୍ରାବାସ ଦାନ କରି ଯାଇଥିଲେ । ତେବେ ଆର୍ଥୀକ କାରଣରୁ ଦୀର୍ଘ ୩୦ ବର୍ଷ ହେଲା ଏହି ଜମି ଛାତ୍ରାବାସ ନାମରେ ଦାଖଲ ଖାରଜ ହୋଇପାରିନଥିଲା । ଅନୁଗୁଳ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତାର ଓ ତହସିଲଦାର ଆଲୋକ କୁମାର ଦେହୁରିଙ୍କ ସ୍ଵତନ୍ତ୍ର ନିର୍ଦ୍ଦେଶ ଅନୁସାରେ ବିନାମୂଲ୍ୟରେ ଏହି ଜମି ଛାତ୍ରାବାସ ନାମରେ ରେକର୍ଡଭୁକ୍ତ ହୋଇଯାଇଛି । ଓଡିଶା ହାଇକୋର୍ଟର ଆଇନଜୀବୀ କବୀର କୁମାର ଜେନାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇପାରିଛି। ଦୀର୍ଘ ବର୍ଷ ପରେ ଜମି ରେକର୍ଡ ହୋଇଥିବା କାରଣରୁ  ଜିଲ୍ଲାପାଳ, ତହସିଲଦାର  ଓ ଆଡଭକେଟ କବୀର ଜେନାଙ୍କୁ ଏହି ସହାୟତା ନିମନ୍ତେ ଛାତ୍ରାବାସର ମୁଖ୍ୟ ପରାମର୍ଶଦାତ୍ରୀ କୃଷ୍ଣା ମହାନ୍ତି, ସଭାପତି ରବୀନ୍ଦ୍ର ନାଥ ସାହୁ, କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ବରାଳ, ସମ୍ପାଦକ ଇଂ ଧନେଶ୍ଵର ସାହୁ ତଥା ପ୍ରମୁଖ ସଦସ୍ୟ ଡାକ୍ତର ବିଶ୍ଵଜିତ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଛନ୍ତି ।