ମୁଖ୍ୟ ଖବର

ପାଳଲହଡ଼ା ମହୋତ୍ସବ ଉଦଘାଟିତ, ମନ ମୋହିଲା ଘୁଡ଼କା ନାଚ ସାଙ୍ଗକୁ ଆଧୁନିକ ଗୀତ

By Angul TV Bureau

March 30, 2025

ଅନୁଗୁଳ: ରବିବାର ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଉଦଘାଟିତ ହୋଇଛି ପାଳଲହଡ଼ା ମହୋତ୍ସବ। ୭ଟି ଶୈବ ପୀଠରୁ ଆସିଥିବା ମଶାଲକୁ ସ୍ଥାନୀୟ ବଳଦେବଜୀଉ ମନ୍ଦିରରୁ ପାଳଲହଡ଼ା ଷ୍ଟାଡିୟମକୁ ଅଣାଯାଇଥିଲା ଓ ଆନୁଷ୍ଠାନିକ ଭାବେ ମାଲ୍ୟାଗିରି ମହୋତ୍ସବ ଉଦଘାଟିତ ହୋଇଥିଲା। ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ମହୋତ୍ସବ ମାଧ୍ୟମରେ ସ୍ଥାନୀୟ ଲୋକ କଳା ଏବଂ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସ ବଜାୟ ରହୁ ବୋଲି କହିଥିଲେ।

ସ୍ୱତନ୍ତ୍ର ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପାଳଲହଡ଼ା ତହସିଲଦାର ଆକାଂକ୍ଷା ମହାପାତ୍ର, ବିଡିଓ ନିଶାନ ମିଶ୍ର, ଡେପୁଟି କଲେକ୍ଟର ଶୁଭଶ୍ରୀ ଟୁଡୁ ଏବଂ ସାଂସଦ ପ୍ରତିନିଧି ତନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ପାଳଲହଡ଼ା ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟିର ଆବାହକ ରବୀନ୍ଦ୍ର କୁମାର ପଟେଲ ମଞ୍ଚ ପରିଚାଳନା କରିଥିଲେ।

ପ୍ରଥମ ସନ୍ଧ୍ୟାରେ ମାଲ୍ୟାଗିରି ମୁକ୍ତାକାଶ ରଙ୍ଗମଞ୍ଚରେ ସୁଦୂର ଦିଗପହଣ୍ଡିରୁ ଆସିଥିବା ବିଚିତ୍ର ବର୍ଣ୍ଣାଳୀ ନୃତ୍ୟ ସଂସ୍ଥାର କଳାକାର ନୃତ୍ୟ ପରିବେଷଣ କରିଥିଲେ। ବଲାଙ୍ଗୀରର ଘୁଡ଼କା ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପରେ ଅନ୍ୟ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ବଲିଉଡ୍ ଗାୟକ ତିଳକ ଚକ୍ରବର୍ତ୍ତୀଙ୍କ ସଂଗୀତ ଦର୍ଶକଙ୍କ ମନ ମୋହିଥିଲା।