ମୁଖ୍ୟ ଖବର

ଟଙ୍କା ନିବେଶ କରି ଲାଭ ପାଇବା ଲୋଭ: ୧୫ ଲକ୍ଷ ଠକି ନେଲେ ସାଇବର ଲୁଟେରା, ଥାନାର ଦ୍ୱାରସ୍ଥ ହେଲେ ହତାଶ ଯୁବକ

By Angul TV Bureau

May 15, 2025

ଅନୁଗୁଳ: ଅନୁଗୁଳରେ ପୁଣି ଅନଲାଇନ ଠକେଇ। ଅନ୍‌ଲାଇନ୍‌ରେ ଷ୍ଟାର ରେଟିଂ ଦେବା ବାହାନାରେ ଯୁବକଙ୍କ ଠାରୁ ଠକି ନେଲେ ୧୫ ଲକ୍ଷ ୨୬ ହଜାର ଟଙ୍କା। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନ‌ା ଅନୁସାରେ ମେରାମଣ୍ଡଳିସ୍ଥିତ ଟାଟା ଷ୍ଟିଲରେ କାମ କରୁଥିବା ଜଣେ ଯୁବକଙ୍କ ପାଖକୁ ଗତ ମାର୍ଚ୍ଚ ୧୩ରେ ହ୍ବାଟସ୍‌ଆପ୍‌ରେ ଏକ ମେସେଜ ଆସିଥିଲା। ସେଥିରେ କ୍ଲିକ କରିବା ପରେ ସେ ଏକ ଟେଲିଗ୍ରାମ୍‌ ଗ୍ରୁପ୍‌ରେ ଯୋଗ ଦେଇଥିଲେ। ସେଥିରେ ତାଙ୍କୁ ନିବେଶ କରିବାକୁ ପରାମର୍ଶ ଦେଇଥିଲେ ଠକ। ଯୁବକ ଜଣଙ୍କ ଟଙ୍କା ନିବେଶ କରିବା ପରେ ଭଲ ଲାଭ ପାଇଥିଲେ। କିନ୍ତୁ ପରେ ଅଧିକ ଟଙ୍କା ନିବେଶ ପାଇଁ ପରାମର୍ଶ ଦେଇଥିଲେ ସାଇବର ଠକ। ପର୍ଯ୍ୟାୟକ୍ରମେ ସେ ମାର୍ଚ୍ଚ ୧୪ରୁ ଏପ୍ରିଲ ୧୭ ତାରିଖ ଭିତରେ ୧୫ ଲକ୍ଷ ୨୬ ହଜାର ୫୬୦ ଟଙ୍କା ଜମା କରିଥିଲେ। କିନ୍ତୁ ଟଙ୍କା ନ ପାଇବାରୁ ସେ ଠକଙ୍କ ହାବୁଡ଼ରେ ପଡ଼ିଥିବା ସନ୍ଦେହ କରିଥିଲେ।

ଏନେଇ ସେ ଅନୁଗୁଳ ସାଇବର ଥାନାରେ ଏତଲା ଦେଇଛନ୍ତି। ତେବେ ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି।