ମୁଖ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ: ଦୀର୍ଘଦିନର ଫେରାର ଅଭିଯୁକ୍ତ ମାନସ ଗିରଫ

By Angul TV Bureau

February 06, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ୩୫ ବର୍ଷୀୟ ମାନସ ପ୍ରଧାନ।ଅଭିଯୋଗ ମୁତାବକ, ଗତ ୧୯ ଡିସେମ୍ବର ୨୦୨୫ ତାରିଖରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ରେଙ୍ଗାଳି ଥାନାରେ ଏକ ଗୁରୁତର ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ୍ ନଂ ୨୩୦/୨୫ ରୁଜୁ କରିଥିଲା। ମାମଲା ରୁଜୁ ହେବା ପରଠାରୁ ଅଭିଯୁକ୍ତ ମାନସ ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘଦିନ ଧରି ଫେରାର ଥିଲା।

ରେଙ୍ଗାଳି ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଶେଷରେ ଗୁରୁବାର ଏକ ଗୋପନ ସୂଚନା ଆଧାରରେ ପୋଲିସ ସୋନପୁର ଅଞ୍ଚଳର ଏକ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ମାନସକୁ କାବୁ କରିବାରେ ସଫଳ ହୋଇଥିଲା।

ରେଙ୍ଗାଳି ଥାନା ଆଇଆଇସି ଶ୍ୟାମଲାଲ ଓରାମଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ଗିରଫ କରାଯିବା ପରେ ଆଜି ଅନୁଗୁଳ କୋର୍ଟକୁ ଚାଲାଣ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।