ଅନୁଗୁଳ: ଅନୁଗୁଳ ସହର ଠାରୁ ଅଳ୍ପ ଦୂରରେ ଥିବା ମନ୍ଦରଗିରି ପାହାଡର ସୌନ୍ଦର୍ଯ୍ୟ, ଜୈବ ବିବିଧତା ଏହାର ଅନୁପମ ଗୁମ୍ଫା ସ୍ଥାନୀୟ ପର୍ଯ୍ୟଟକ ମାନଙ୍କୁ ବିଶେଷ ଆକର୍ଷିତ କରିଥାଏ। ଏହି ମନ୍ଦରଗିରିରେ ଅନେକ ଔଷଧୀୟ ଗୁଳ୍ମ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଅଧିବାସୀଙ୍କ ବିଶ୍ୱାସ ଏହି ସବୁ ଗୁଳ୍ମରେ ରହିଛି ଏଭଳି ଗୁଣ ଯାହାକୁ ସେବନ କଲେ ଝାଡ଼ାବାନ୍ତି, ଜ୍ୱର, କଫକାଶ ଏବଂ ଅନେକ ଦୁଃସାଧ୍ୟ ଚର୍ମ ରୋଗରୁ ରକ୍ଷା ମିଳିଥାଏ। ଏମିତି କିଛି ନିଆରା ବିଶ୍ୱାସ ନେଇ ଆଜି ରାଣୀଗୋଡ଼ା ଗାଁର କିଛି ଗ୍ରାମବାସୀ ମନ୍ଦରଗିରି ପାହାଡକୁ ଯାଇଥିଲେ। ସେମାନେ ପାହାଡର ବିଭିନ୍ନ ଗୁମ୍ଫାରେ ପୂଜା ପାଉଥିବା ଶିବ, ରାମ, ହନୁମାନ ଆଦି ପୀଠରେ ପୂଜା ଅର୍ଚନା କରିଥିଲେ । ଏହା ପରେ ଗ୍ରାମବାସୀ ମାନେ ପାହାଡ଼ରୁ କିଛି ଔଷଧୀୟ ଗୁଳ୍ମ ସଂଗ୍ରହକରି ଘରକୁ ନେଇଥିଲେ।ସେମାନଙ୍କର ବିଶ୍ୱାସ ଅଛି ଯେ ଏହି ଗୁଳ୍ମକୁ ନଡ଼ା କୁଟା ସାଙ୍ଗରେ ମିଶାଇ ଗୁହାଳରେ ଧୂଆଁ ଦେଲେ ଗୋରୁ ମାନଙ୍କୁ ଫାଟୁଆ ସମେତ ଅନ୍ୟ କୌଣସି ରୋଗ ହେବ ନାହିଁ ଏବଂ ପ୍ରାଣୀ ସମ୍ପଦର ଉନ୍ନତି ଘଟିବ। ଆଜିର ବୈଜ୍ଞାନିକ ଯୁଗରେ ଗାଁ ଲୋକଙ୍କ ଏହି ବିଶ୍ୱାସ ବର୍ଷ ବର୍ଷ ଧରି ବଞ୍ଚି ରହିଛି ଏବଂ ପ୍ରତି ବର୍ଷ ଆଷାଢ଼ ମାସରେ ସେମାନେ ଏହିଭଳି ପରମ୍ପରାକୁ ଆଦରି ନେଇଥାନ୍ତି ।