ଅନୁଗୋଳ: ଗଞ୍ଜେଇ ଚାଲାଣ ବିରୋଧରେ ଅନୁଗୋଳ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାରିଟି ପୃଥକ୍ ଚଢ଼ାଉ କରି ବିଭାଗ ୯୬ କେଜି ୬୨୦ ଗ୍ରାମ ଗଞ୍ଜେଇ ସହ ଗୋଟିଏ ମୋଟରସାଇକେଲ ଜବତ କରିଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୯ ଲକ୍ଷ ୬୭ ହଜାର ଟଙ୍କା ଆକଳନ କରାଯାଇଛି। ଏହି ଚାରିଟି ଏନ୍ଡିପିଏସ୍ ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ, ପ୍ରଥମ ଚଢ଼ାଉ ବାଗେଡ଼ିଆ ଥାନା ଅନ୍ତର୍ଗତ ତେବୁଡୁ ଗ୍ରାମରେ ହୋଇଥିଲା। ଏଠାରୁ ୪୫ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହେବା ସହ ପାଟକମୁଣ୍ଡା ଗ୍ରାମର ଭରଦ୍ୱାଜ ପ୍ରଧାନ (୪୦) ଓ ଅନିଲ ପ୍ରଧାନ (୨୮) ଗିରଫ ହୋଇଥିଲେ।
ଦ୍ୱିତୀୟ ଚଢ଼ାଉ ଜରପଡ଼ା ବ୍ରିଜ୍ ନିକଟ ହରିଜନ ସାହିରେ କରାଯାଇଥିଲା। ସେଠାରୁ ୨୩ କେଜି ଗଞ୍ଜେଇ ଓ ଗୋଟିଏ ବାଇକ୍ ଜବତ କରିବା ସହ ଛେଣ୍ଡିପଦା ଥାନା ଗୋପୀନାଥପୁରର କଲ୍ୟାଣ ବେହେରା (୨୯)ଙ୍କୁ ଅବକାରୀ ଟିମ୍ ଗିରଫ କରିଥିଲା।ସେହିପରି ରେଳବାଇ କଲୋନୀ ଅଞ୍ଚଳରେ ହୋଇଥିବା ତୃତୀୟ ଚଢ଼ାଉରେ ୧୪ କେଜି ୨୨୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁରର ସନ୍ଦୀପ ମହାନ୍ତି ଗିରଫ ହୋଇଥିଲେ।
ଚତୁର୍ଥ ଚଢ଼ାଉ ରେଳବାଇ କଲ୍ୟାଣ ମଣ୍ଡପ ନିକଟରେ ହୋଇଥିଲା। ଏଠାରୁ ୧୪ କେଜି ଗଞ୍ଜେଇ ଜବତ ସହ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ତନ୍ତ୍ରୀ ଅଞ୍ଚଳର ରାଜେଶ ପାଣ୍ଡେ (୪୩)ଙ୍କୁ ଗିରଫ କରାଯାଇଥିଲା।
ଏହି ଚାରିଟି ଚଢ଼ାଉରେ ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ନିଳାଦ୍ରୀ ନାୟକ ଓ ଧୀରେନ ବେହେରାଙ୍କ ସମେତ ଇନ୍ସପେକ୍ଟର ନିଲିମା ସ୍ୱାଇଁ, ମାନସୀ ସାହୁ, ସବ୍ଇନ୍ସପେକ୍ଟର ସନ୍ତୋଷ ସେନାପତି, ଯୋଗେଶ୍ୱର ଜେନା, ବିଶ୍ୱନାଥ ଜେନା ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଘଟଣାଗୁଡ଼ିକରେ ଅବକାରୀ ବିଭାଗ ପକ୍ଷରୁ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।