ଘଟଣା ଓ ଦୁର୍ଘଟଣା

ରାସ୍ତାରେ କାର ଅଟକାଇ ମାଲିକ ଓ ବାନ୍ଧବୀଙ୍କୁ ମାରପିଟ କରିବା ଅଭିଯୋଗ, ନାଲକୋ ଥାନାରେ ମାମଲା ରୁଜୁ

By Angul TV Bureau

February 08, 2023

ଅନୁଗୁଳ: ନାଲକୋ ଅନୁଗୁଳ କେନାଲ ରାସ୍ତା ତଥା କାଣ୍ଡସର ଆମ୍ବୁରୀ ପାର୍ଶ୍ୱ କେନାଲ ବନ୍ଧ ଉପରେ କାର ଅଟକାଇ କିଛି ଲୋକ କାର ମାଲିକ ଓ ତାଙ୍କ ବାନ୍ଧବୀଙ୍କୁ ମାରପିଟ କରିଛନ୍ତି। ଏ ନେଇ କାର ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ସୋମବାର ରାତିରେ ନାକଟି ଦେଉଳ ଅଞ୍ଚଳର ଦୁଷ୍ମନ୍ତ କୁମାର ସାହୁ ଏବଂ ତାଙ୍କ କାରରେ ବସିଥିବା ଜଣେ ମହିଳାଙ୍କୁ କାଣ୍ଡସର ଆମ୍ବୁରୀ ପାର୍ଶ୍ୱ କେନାଲ ବନ୍ଧ ଉପରେ କିଛି ଯୁବକ ଅଟକାଇ ଟଣା ଓଟରା କରିବା ସହ ମାରପିଟ କରିଛନ୍ତି। ଏହା ସହ କାରର କାଚ ଏବଂ ଲାଇଟକୁ ଠେଙ୍ଗାରେ ପିଟି ଭାଙ୍ଗିଦେଇଛନ୍ତି। ଏ ନେଇ ନାଲକୋ ଥାନାରେ ଲିଖିତ ଅଭିଯୋଗ ହୋଇଛି। ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଚଳାଇଛି।

ପ୍ରକାଶ ଯେ ଉକ୍ତ ରାସ୍ତାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମିବା ସହ ପଥଚାରୀମାନେ ବାରମ୍ବାର ଆକ୍ରମଣର ଶିକାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି। ଏଣୁ ଏହି ସ୍ଥାନରେ ପ୍ୟାଟ୍ରୋଲିଙ୍ଗ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।