ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମହୋତ୍ସବ: ବିଭିନ୍ନ ଦେବଦେବୀ ପୀଠ ବୁଲି ଶୈଳଶ୍ରୀକ୍ଷେତ୍ର ପହଞ୍ଚିଲା ମଶାଲ

By Biswaranjan Pattnaik

January 08, 2024

ଅନୁଗୁଳ: ଚଳିତ ମାସ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୁଳ ଜିଲ୍ଲା ମହୋତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ଆଜି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରୋହିତ୍ୟରେ ମଶାଲ ଶୋଭାଯାତ୍ରା ବାହାରିଥିଲା। ଏହି ମଶାଲ ଟିକରପଡା, ଛେଣ୍ଡିପଦା ପାତ୍ରପାଡାର ମା ବାୟାଣୀପୀଠ, ଆଠମଲ୍ଲିକର ଦେଉଳଝରି, ପାଳଲହଡାର ଖୁଲୁଡି ପୀଠରୁ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଟିକରପଡାସ୍ଥିତ ଶିବ ମନ୍ଦିର ଠାରୁ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରା,ପାଳଲହଡା ଖୁଲୁଡି ପୀଠରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାଡା, ଆଠମଲ୍ଲିକର ଦେଉଳଝରି ପୀଠରୁ ଆଠମଲ୍ଲିକ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ପାତ୍ର ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଛେଣ୍ଡିପଦା ପାତ୍ରପାଡାର ମା ବାୟାଣୀପୀଠରୁ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ମଶାଲ ବାହାରି ମା’ ହିଙ୍ଗୁଳାଙ୍କ ପୀଠରେ ଏକାଠି ହୋଇଥିଲେ।

ସେହିପରି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଢେଙ୍କାନାଳ ସାଂସଦ ମହେଶ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ଓ ତାଳଚେର ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ପ୍ରମୁଖ ମା ହିଙ୍ଗୁଳାଙ୍କ ପୀଠ ଠାରେ ମଶାଲଗୁଡିକୁ ସ୍ବାଗତ କରିଥିଲେ। ମଶାଲ ସହ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବସୁଧା, ବନ ବିଭାଗର ପ୍ରଜ୍ଞାପନ ମେଢ ମଧ୍ୟ ଯାତ୍ରା କରିଥିଲା। ସନ୍ଧ୍ୟାରେ ମଶାଲଗୁଡ଼ିକ ଶୈଳଶ୍ରୀକ୍ଷେତ୍ର ଠାରେ ପହଞ୍ଚିଥିଲା।