ଅନୁଗୋଳ: ଶ୍ରମିକମାନଙ୍କର ଉଚିତ୍ ମଜୁରୀ, ସୁରକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ସେବା ଏବଂ ଅଞ୍ଚଳର ପରିବେଶ ସୁରକ୍ଷା ଭଳି ୧୬ ଦଫା ଦାବି ପୂରଣ ପାଇଁ ଆସନ୍ତାକାଲି ସକାଳ ୯ଟାରେ ସମ୍ବଲପୁର ଏମସିଏଲ ମୁଖ୍ୟାଳୟ ସମ୍ମୁଖରେ ବିଶାଳ ଆନ୍ଦୋଳନ ଅନୁଷ୍ଠିତ ହେବ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ହଜାର ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଜଣାପଡିଛି।
ମୁଖ୍ୟ ଦାବି ଗୁଡିକ ଯଥା ଭେଣ୍ଡର ଡେଭଲପମେଣ୍ଟରେ ମଧ୍ୟସ୍ଥତା (Middleman ship) ବନ୍ଦ କରାଯାଉ, ଏମସିଏଲର ସମସ୍ତ ଠିକା ଶ୍ରମିକଙ୍କୁ ୨ କୋଟି ଟଙ୍କାର ବୀମା ପ୍ରଦାନ, ସମସ୍ତ ଠିକା ଶ୍ରମିକଙ୍କୁ ମେଡିକାଲ କାର୍ଡ ପ୍ରଦାନ ଏବଂ ଏମସିଏଲ ସ୍ଥାୟୀ ଶ୍ରମିକଙ୍କ ଭଳି ସେମାନଙ୍କ ପରିବାରକୁ ମଧ୍ୟ ସମାନ ଚିକିତ୍ସା ସୁବିଧା ପ୍ରଦାନ, ସମସ୍ତ ଠିକା ଶ୍ରମିକଙ୍କ ପାଇଁ ଓକ୍ୟୁପେସନାଲ ହେଲଥ୍ ଏବଂ ସେଫ୍ଟି ବ୍ୟବସ୍ଥା, ଧୂଳି ପ୍ରଦୂଷଣ ହ୍ରାସ ଏବଂ ଏମସିଏଲର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ ଡିଏଭି ସ୍କୁଲରେ ୪୦% ସିଟ୍/କୋଟା ସୁବିଧା ପ୍ରଦାନ କରାଯାଉ ଇତ୍ୟାଦି।
ଆନ୍ଦୋଳନକାରୀମାନେ ‘ସମ୍ବଲପୁର ଚାଲ୍.. ଏମସିଏଲ ହେଡକ୍ୱାର୍ଟର ଘେରାଉ’ ନାରା ଦେଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।