ମୁଖ୍ୟ ଖବର

ମାଧପୁରରେ ବିଶାଳ କୃଷକ ମହାସମାବେଶ: ଜଳକର ଲାଗୁ ଏବଂ ରବି ଋତୁରେ ଧାନ ମଣ୍ଡି ଖୋଲିବାକୁ ଦାବି

By Angul TV Bureau

September 22, 2026

ଅନୁଗୋଳ: ଓଡ଼ିଶା କୃଷକ ମହାସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ମାଧପୁର ହାଟପଦା ଠାରେ ବିଶାଳ କୃଷକ ମହାସମାବେଶ ଅନୁଷ୍ଠିତ ହୋଇଛି। ଜଳକର ଲାଗୁ କରିବା ସହ ରବି ଋତୁରେ ଧାନ ମଣ୍ଡି ବ୍ୟବସ୍ଥା ଦାବିରେ ହଜାର ହଜାର ଚାଷୀ ଏକତ୍ରିତ ହୋଇଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ସଞ୍ଜିବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ଦାବି ଯୁକ୍ତିଯୁକ୍ତ ବୋଲି କହିଥିଲେ। ମାନଜୋର ପ୍ରକଳ୍ପ କାର୍ଯ୍ୟ ସରିଥିବାରୁ ଜଳକର ଲାଗୁ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା କହିଥିଲେ। ସଂଘ ସଭାପତି ଦେବେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ମେହେର, ପିତାମ୍ବର ବିଶ୍ୱାଳ, ଦେବରାଜ ନାୟକ, କୁଦଗାଁ ସରପଞ୍ଚ ସିଦ୍ଧାର୍ଥ କ୍ଷେତ୍ରୀ, ସାମାଜିକ କର୍ମୀ ଇଂ. ପ୍ରିୟଦର୍ଶିନୀ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।

ବକ୍ତାମାନେ କହିଥିଲେ, ମାନଜୋର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାରୁ ଜଳକର ଲାଗୁ ହେଲେ ସୁଷମ ଜଳ ଆବଣ୍ଟନ ହୋଇପାରିବ, ଟେଲ୍ ଏଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିବ। ବର୍ତ୍ତମାନ ଅଣ-ଜଳସେଚିତ ଭାବେ ଏକର ପିଛା ୧୩ କୁଇଣ୍ଟାଲ ଧାନ କିଣା ଯାଉଥିବାବେଳେ ଜଳକର ଲାଗୁ ପରେ ୧୯ କୁଇଣ୍ଟାଲ କିଣାଯିବ। ସେହିପରି ରବି ଋତୁରେ ମଣ୍ଡି ଖୋଲିଲେ ଚାଷୀ ଅଭାବି ବିକ୍ରିରୁ ରକ୍ଷା ପାଇବେ। ବରିଷ୍ଠ ଆଇନଜୀବୀ ତଥା ସଂଘ ଆବାହକ ଅଞ୍ଜନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ଯତିନ୍ଦ୍ର ପ୍ରଧାନ, ଘାସିନାଥ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।