ଅନୁଗୁଳ: ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା ପାଇଁ ଟାଟା ପାୱାରରେ ନିଯୁକ୍ତ ହୋଇଥିବା ୧୦ ଜଣ ଠିକା କର୍ମଚାରୀଙ୍କୁ ହଠାତ୍ ଛଟେଇ କରି ଦିଆଯିବା ପରେ ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଶନିବାର ଦିନ ଉପଖଣ୍ଡର ସମସ୍ତ ଠିକା କର୍ମଚାରୀ ଏକଜୁଟ ହୋଇ ବଇଣ୍ଡା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପରିସରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କର୍ମଚାରୀଙ୍କ କହିବା ଅନୁସାରେ, ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୪୭ ପଞ୍ଚାୟତରେ ବିଦ୍ୟୁତ୍ ସେବା ପାଇଁ ମୋଟ ୮୫ ଜଣ ଠିକା କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କୌଣସି କାରଣ ନ ଦର୍ଶାଇ, ବିନା ନୋଟିସରେ ଠିକା ସଂସ୍ଥା ଛଟେଇ କରି ଦେଇଛି। ‘ଅଳ୍ପ ବେତନରେ ଦିନରାତି କାମ କରୁଛୁ, ଆଉ ଏବେ ମନଇଚ୍ଛା ଛଟେଇ କରୁଛନ୍ତି।
ଏହା ଅନ୍ୟାୟ’ ବୋଲି ପ୍ରତିବାଦକାରୀ କର୍ମଚାରୀ କହିଛନ୍ତି। ସେମାନେ ବଇଣ୍ଡା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଏସଡିଓଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଛଟେଇ ପ୍ରତ୍ୟାହାର କରି ୧୦ ଜଣ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାକୁ ଦାବି ହୋଇଛି। ନଚେତ୍ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ବଇଣ୍ଡା ବିଦ୍ୟୁତ୍ ବିଭାଗ ଏସଡିଓ ଅକ୍ଷୟ କୁମାର ସାହୁ କହିଛନ୍ତି, “ଠିକା ସଂସ୍ଥା ପକ୍ଷରୁ ଛଟେଇ କରାଯାଇଛି। କର୍ମଚାରୀମାନେ ଦେଇଥିବା ଅଭିଯୋଗପତ୍ର ଠିକା ସଂସ୍ଥାକୁ ପଠାଇ ଦିଆଯିବ।”